ଭୁବନେଶ୍ବର: ଧିରେ ଧିରେ ପୁଞ୍ଜିପତି ଆଦାନୀଙ୍କ ପାଇଁ ବଢୁଛି ଅଡ଼ୁଆ । ଆର୍ଥିକ ଅନିୟମିତତା ନେଇ ଆଦାନୀଙ୍କ ଉପରେ ଉଠୁଛି ପ୍ରଶ୍ନ । ବିରୋଧି ଏହି ପ୍ରସଙ୍ଗରେ ଉଭୟ ଲୋକସଭା ଓ ରାଜ୍ୟ ସଭାରେ ହଟ୍ଟଗୋଳ ଜାରି ରଖିଛନ୍ତି । ତେବେ ମୋଦି ଓ ଅଦାନୀଙ୍କର କଣ ରହିଛି ସମ୍ପର୍କ, ସେନେଇ ଦେଶର ୨୩ ସ୍ଥାନରେ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି ।
ଏନେଇ କଂଗ୍ରେସର ଜାତୀୟ ମୁଖପାତ୍ର ଆଲୋକ ଶର୍ମା କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନକୁ ଆସିବା ପରଠାରୁ ଦେଶରେ ବେକାରୀ ସମସ୍ୟା ବଢିଛି । ଦେଶରେ ଭ୍ରଷ୍ଟାଚାର ମଧ୍ୟ ବଢିଛି । ହେଲେ ଜଣେ ବେପାରୀ ଆଜି ପ୍ରଧାନମନ୍ତ୍ରୀଙ୍କ ମିତ୍ର ହୋଇଛି । ୨୦୧୪ରେ ୬୦୯ ନମ୍ବର ଧନୀ ତାଲିକାରେ ଅଦାନୀ ଥିଲେ । ମୋଦି ତାଙ୍କୁ ଆଜି ୩ ନମ୍ବରରେ ପହଞ୍ଚାଇଛନ୍ତି । ଏହି ଘଟଣାରେ ଦୃଢ଼ ଯାଞ୍ଚ କରାଯାଉ । ସଂସଦରୁ ନେଇ ସଡ଼କ ପର୍ଯ୍ୟନ୍ତ ଏହି ଘଟଣା ଉପରେ ପ୍ରତିବାଦ କରୁଛି କଂଗ୍ରେସ । ଏଠାରେ କିନ୍ତୁ ବିଜେଡି କୌଣସି ମନ୍ତବ୍ୟ ବା ପ୍ରତିବାଦ କରିନାହିଁ । ଏଥିରୁ ଜଣାପଡୁଛି ଯେ ବିଜେଡି ବିଜେପି ଭାଇ ଭାଇ ।"
ଏହା ମଧ୍ୟ ପଢ଼ନ୍ତୁ... ପୋଲିସ ଅଧିକାରୀଙ୍କୁ ଧକ୍କା ମାରି ଠିକ କରିନାହାନ୍ତି ଜୟନାରାୟଣ: ତାରା
ଆଦାନୀ ପ୍ରସଙ୍ଗରେ ଦେଶର ବିରୋଧି ଦଳ ଗୁଡ଼ିକ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ବିଜୁ ଜନତା ଦଳର କୌଣସି ସାଂସଦ କିନ୍ତୁ ଏନେଇ କୌଣସି ପ୍ରଶ୍ନ ଉଠାଇ ନାହାନ୍ତି । ଏନେଇ କଂଗ୍ରେସର ଜାତୀୟ ମୁଖପାତ୍ର ଆଲୋକ ଶର୍ମା କହିଛନ୍ତି, "ଗୋଟିଏ ମୁଦ୍ରାର ଦୁଇପାର୍ଶ୍ବ ହୋଇ କାର୍ଯ୍ୟକରୁଛନ୍ତି ବିଜେପି ଓ ବିଜେଡି । ବିଜେଡିର କୌଣସି ବି ସାଂସଦ ମଧ୍ୟ ଏହି ପ୍ରସଙ୍ଗରେ କିଛି ସ୍ବର ନଉଠାଇ ଚୁପ ରହିଛନ୍ତି । ଦେଶରେ ଏବେ ଅମୃତ କାଳ ନୁହେଁ. ବରଂ ଏହା ମିତ୍ର କାଳ ଚାଲିଛି । ମୋଦି ଆସିବା ପରେ ଦେଶର ଉନ୍ନତୀ ବନ୍ଦ ହୋଇଚାଲିଛି । ଏହି ଘଟଣା ସମ୍ପୂର୍ଣ୍ଣ ଭ୍ରଷ୍ଟାଚାର ଓ ମନିଲଣ୍ଡରିଙ୍ଗ । ତେଣୁ ଏହି ଘଟଣାର ଜେପିସି ମାଧ୍ୟମରେ ଯାଞ୍ଚ ହେବା ଦରକାର ।" କିଛିଦିନ ତଳେ ଲୋକସଭାରେ ସାଂସଦ ରାହୁଲ ଗାନ୍ଧି ଓ ରାଜ୍ୟ ସଭାରେ AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ମଧ୍ୟ ଏହି ଅଭିଯୋଗ ଆଣିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର