ଭୁବନେଶ୍ବର: ଘୋଷଣା ହେଲା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି । ପିସିସି ସଭାପତି ଚୟନ ହେବାର ୧୧ ମାସ ପରେ ଶରତଙ୍କ ନୂଆ ଟିମ ଘୋଷଣା କରିଛି AICC । ରାଜ୍ୟରେ କଂଗ୍ରେସକୁ ଜନ ଆଦୃତ କରିବା ପାଇଁ ଗଠନ ହେଲା ଶରତଙ୍କ ନୂଆ ଟିମ । ଓଡିଶା ପ୍ରଦେଶ କଂଗ୍ରେସ କମିଟିର ନୂତନ ପଦାଧିକାରୀଙ୍କ ନାଁ ଘୋଷଣା କରିଛି ଅଖିଳ ଭାରତ କଂଗ୍ରେସ କମିଟି । ନୂଆ ତାଲିକାରେ ୫ ଜଣ ବରିଷ୍ଠ ଉପସଭାପତି, ୧୨ ଜଣ ଉପସଭାପତି, ଜଣେ କୋଷାଧ୍ୟକ୍ଷ, ୩୯ ଜଣ ସାଧାରଣ ସମ୍ପାଦକ, ୬୧ ଜଣ ସମ୍ପାଦକ, ୬୭ ଜଣ କାର୍ଯ୍ୟକାରିଣୀ କମିଟି, ମିଡିଆ ସେଲରେ ୨୭ ଜଣ ପାଇଲେ ସ୍ଥାନ ।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ତତ୍ପର ହୋଇଛି କଂଗ୍ରେସ । ପିସିସି ସଭାପତି ଚୟନ ହେବାର ୧୧ ମାସ ପରେ ଶରତଙ୍କ ନୂଆ ଟିମ ଘୋଷଣା କରିଛି AICC । ଏଆଇସିସିରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ଗଣେଶ୍ବର ବେହେରାଙ୍କ ସମେତ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି, ଦେବାଶିଷ ପଟ୍ଟନାୟକ, ଶିବାନନ୍ଦ ରାୟ ଏବଂ ସରସ୍ବତୀ ହେମ୍ବ୍ରମଙ୍କୁ ପ୍ରଦେଶ କଂଗ୍ରେସର ବରିଷ୍ଠ ଉପସଭାପତି ଭାବେ ନିଯୁକ୍ତ କରିଛନ୍ତି କଂଗ୍ରେସ ହାଇକମାଣ୍ଡ । ସେହିଭଳି ବରିଷ୍ଠ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କୁ କୋଷାଧ୍ୟକ୍ଷ ନିଯୁକ୍ତି ମିଳିଛି । ନକୁଳ ନାୟକ, ମମତା ମାଡ଼ି, ବିଧାୟକ ଅଧିରାଜ ପାଣିଗ୍ରାହୀ, ରାଜନ ଏକ୍କା, ବିଭୁତି ମିଶ୍ର ପ୍ରମୁଖଙ୍କ ସମେତ ୧୨ ଜଣଙ୍କୁ ଦଳର ଉପସଭାପତି ଭାବେ ନିଯୁକ୍ତ କରାଯାଇଛି । ସେହିଭଳି ଗଣେଶ୍ବର ବେହେରାଙ୍କୁ ଦଳର ମିଡିଆ ସେଲ ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି । ବରିଷ୍ଠ ନେତା କାହ୍ନୁ ଲେଙ୍କା, କେପି ସିଂହଦେଓ ଓ ଭକ୍ତ ଚରଣ ଦାଶ ପ୍ରମୁଖଙ୍କୁ କାର୍ଯ୍ୟକାରିଣୀ କମିଟିରେ ସ୍ଥାନ ଦିଆଯାଇଛି ।


ପ୍ରକାଶ ଥାଉ କି ଦୁଇ ଦିନ ତଳେ ନିକଟରେ କଂଗ୍ରେସରେ ଯୋଗ ଦେଇଥିବା ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ଗୁରୁ ଦାୟିତ୍ବ ଦେଇଥିଲେ କଂଗ୍ରେସ ହାଇକମାଣ୍ଡ । ବିଜୟଙ୍କୁ ପ୍ରଦେଶ କଂଗ୍ରେସର ପ୍ରଚାର କମିଟି ମୁଖ୍ୟ ଭାବେ ନିଯୁକ୍ତି ମିଳିଥିଲା । ଏନେଇ କଂଗ୍ରେସର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଏକ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଥିଲେ । ବର୍ତ୍ତମାନ ଓଡ଼ିଶା କଂଗ୍ରେସ ପ୍ରଚାର କମିଟି ମୁଖ୍ୟ ହିସାବରେ ବିଜୟ ପଟ୍ଟନାୟକ ଦାୟିତ୍ବ ଭାର ବହନ କରିବେ । ସେହିପରି କଂଗ୍ରେସର ରାଜନୈତିକ ବ୍ୟାପାର କମିଟି ମଧ୍ୟ ଘୋଷଣା ହୋଇଥିଲା । ରାଜନୈତିକ ବ୍ୟାପାର କମିଟିରେ ୨୭ ଜଣ ସଦସ୍ୟଙ୍କୁ ସ୍ଥାନ ମିଳିଛି । ଯାହାର ତାଲିକା ଏଆଇସିସି ପକ୍ଷରୁ ଦୁଇ ଦିନ ପୂର୍ବରୁ ପ୍ରକାଶ ପାଇଛି ।

ଇଟିଭି ଭାରତ, ଭୁବନେଶ୍ବର