ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ସୋମବାରଠାରୁ ଆରମ୍ଭ ହୋଇଛି ଆଦିବାସୀ ମେଳା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀ ମେଳା-୨୦୨୩ ଉଦଘାଟନ କରିଛନ୍ତି । ୟୁନିଟ-୧ ଆଦିବାସୀ ପଡିଆରେ ଆଦିବାସୀ ମେଳା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୫ ଦିନ ଧରି ଚାଲିବ । ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଳାରେ ଯୋଗ ଦେଇ ଆଦିବାସୀ ମହିଳାଙ୍କ ସହ ଫଟୋ ଉଠାଇଥିଲେ । ଷ୍ଟଲ୍ ବୁଲି ଆଦିବାସୀ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଦେଖିଥିଲେ ମୁଖ୍ୟମନ୍ତ୍ରୀ ।
ମେଳାର ଉଦଘାଟନ ପରେ ସ୍ମାର୍ଟସିଟିରେ ଗାଁର ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠି ଦେଖିବାକୁ ମିଳିଛି ଝାଟି ମାଟିର କୁଡ଼ିଆ ଘର । ଯେଉଁଠି ରହିଛି ଆଦିବାସୀ ଜନଜାତିଙ୍କର ଚଳଣି, ରହଣି ତାଙ୍କ ବ୍ୟବହୃତ ସାମଗ୍ରୀ । କେଉଁଠି ନୁଆଁଣିଆ ଚାଳ ଘର ତ ଆଉ କେଉଁଠି ଖପର ଘର ଦେଖିବାକୁ ମିଳିଛି । ସେହିପରି କେଉଁଠି ଗୋବର ଲିପା ମାଟି ପିଣ୍ଡା ଆଉ ଘର ଆଗରେ ଅଗଣା ରହିଛି । ପାଖରେ ଗ୍ରାମ ଦେବୀ ପୂଜା ବି ପାଉଛନ୍ତି । ସେମାନଙ୍କର ସେହି ଗାଁର ଚଳଣି ସବୁ କିଛି ସେମିତି ହିଁ ଅଛି । ଯାହା ଆଦିବାସୀ ଗାଁରେ ସେହି ରମଣୀୟ ଦୃଶ୍ୟକୁ ପ୍ରତିପାଦିତ କରୁଛି । ତେଣୁ ଆଦିବାସୀ ଗାଁ ପରିବେଶର ନିଚ୍ଛକ ଆଉ ଅବିକଳ ଦୃଶ୍ୟ ରାଜଧାନୀବାସୀଙ୍କୁ ଦେଖିବାର ସୁଯୋଗ ମିଳିଛି । ଆଉ ଭୁବନେଶ୍ବର ସହର ଆଜି ଗାଁ ଗାଁ ବାସୁଛି ।
ଆଦିବାସୀ ମେଳାରେ ଆଦିବାସୀ ଲୋକଙ୍କର ପରିପାଟୀର ଝଲକ ସହ ଗାଁ ପରିବେଶର ବାସ୍ନା ମହକୁଛି । କାରଣ ଖାଲି ଯେ ବେଶ ପୋଷାକ କି ଘର ନୁହେଁ ସେମାନଙ୍କର ସୋପାନ ଚାଷବାସ ଓ କୁକୁଡ଼ା ଚରୁଥିବା ଦୃଶ୍ୟ ବି ଦେଖିବାକୁ ମିଳିଛି । ଏହାକୁ ଦେଖିବା ପାଇଁ ରାଜଧାନୀବାସୀଙ୍କ ମନରେ ବେଶ ଉତ୍କଣ୍ଠା ଭରିଯାଇଛି । ତେଣୁ ଗାଁର ସେହି ମହକ ପାଇବା ପାଇଁ ଓ ଆଦିବାସୀ ଜନଜାତିଙ୍କ ଚାଲିଚଳଣି ଦେଖିବା ପାଇଁ ଆଜି ପ୍ରଥମ ଦିନରେ ବି ଛୁଟିଯାଇଛନ୍ତି ରାଜଧାନୀବାସୀ । ମେଳା ବୁଲିବା ସହ ସେମାନଙ୍କର ପ୍ରକୃତିଜାତ ଦ୍ରବ୍ୟ ବି କିଣୁଥିବା ଦେଖିବାକୁ ମିଳିଛି । ବର୍ଷରେ ଗୋଟିଏ ଥର ଆଦିବାସୀଙ୍କର ଏହି ପ୍ରାକୃତିକ ଜିନିଷକୁ ହାତ ପାହାନ୍ତାରେ ପାଇଥାନ୍ତି ଲୋକେ । ତେଣୁ ବଡ ଉତ୍ସାହର ସହ ଜିନିଷ କିଣି ମେଳା ବୁଲି ଲୋକେ ବେଶ ଖୁସି ପ୍ରକାଶ କରିଛନ୍ତି ।
ସେହିପରି ଅନ୍ୟପଟେ ଆଦିବାସୀମାନେ ବି ସହରକୁ ଆସି ସହରିଆଙ୍କୁ ଟିକିଏ ଗାଁର ଖୁସି ଦେବା ପାଇଁ ୮ ଦିନ ଧରି ପରିଶ୍ରମ କରି ଗାଁର ଅବିକଳ ଦୃଶ୍ୟକୁ ସଜାଇଛନ୍ତି । ଆଉ ନିଜେ ତାଙ୍କର ପାରମ୍ପରିକ ପରିପାଟୀରେ ସଜେଇ ହୋଇ ଛିଡା ହୋଇଛନ୍ତି । ତେବେ ସେମାନେ ବି ଗାଁରୁ ଆସି ନିଜ ପରମ୍ପରା ଓ ଚାଲିଚଳଣୀକୁ ସହରବାସୀଙ୍କ ଦେଖାଇ ଖୁସି ହେବା ସହ ସେମାନଙ୍କ ସାମଗ୍ରୀ ବିକିବା ପାଇଁ ବଜାର ପାଇ ଖୁସି ହୋଇଛନ୍ତି । ସବୁ ସହରବାସୀଙ୍କୁ ଅନୁରୋଧ କରିଛନ୍ତି ସେମାନଙ୍କର ଜିନିଷ ନେବା ପାଇଁ । କାରଣ ଦୀର୍ଘ ଦୁଇ ବର୍ଷ ହେଲା କରୋନା କଟକଣା ପାଇଁ ଭଲ ବେପାର ହୋଇ ନାହିଁ । ଏହା ସହ ସହରବାସୀଙ୍କ ବୁଲାବୁଲି ଓ ତାଙ୍କ ସହ ଫଟୋ ଉଠାଇବାକୁ ନେଇ ମଧ୍ୟ ସେ ବହୁତ ଖୁସି ହୋଇଛନ୍ତି ଆଉ ରାଜ୍ୟ ସରକାର ତାଙ୍କୁ ଏ ସୁଯୋଗ ଦେଇଥିବାରୁ ତାଙ୍କୁ ସେ ଧନ୍ୟବାଦ ଦେଇଛନ୍ତି । ଏଥିସହ ସେମାନଙ୍କର ବିକାଶ ପାଇଁ ଏଭଳି ଅନେକ କିଛି ଉନ୍ନୟନମୂଳକ କାର୍ଯ୍ୟ କରି ସେମାନଙ୍କ ସାମଗ୍ରୀ ବିକ୍ରି ପାଇଁ ଅଧିକରୁ ଅଧିକ ବଜାର ସୃଷ୍ଟି ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।
ତେବେ ଖାଲି ସେତିକି ନୁହେଁ ଉତ୍ତମ ଚଳଣି, ଶିକ୍ଷା ଓ ସ୍ୱାସ୍ଥ୍ୟ ଯୋଗାଇ ଦେବାକୁ ମଧ୍ୟ କହିଛନ୍ତି । ସେପଟେ ଏଥର ଆଦିବାସୀ ମେଳାରେ ମୁଖ୍ୟ ଆକର୍ଷଣ ସାଜିଛି ୧୦ଟି ଜନଜାତିଙ୍କ ଘର । ଚକୋଟିଆ, ଭୁଞ୍ଜିଆ, କୁଟିଆ କନ୍ଧ, ଡଙ୍ଗରିଆ କନ୍ଧ, ସଉରା, ଲାଞ୍ଜିଆ ସଉରା, ପାଉଡି ଭୂୟାଁ ,ବଣ୍ଡା,କୂଟିଆ କନ୍ଧ, ପାହାଡ଼ି ଖଡ଼ିଆ ଓ ମାଙ୍କଡିଆ, ଜୁଆଙ୍ଗ ଘର । ତା' ସହ ଆଦିବାସୀମାଙ୍କ ଦୈନନ୍ଦିନ ଜୀବନ ଓ ଜୀବିକା ମଧ୍ୟ ଦେଖିବାକୁ ମିଳିବ । ଏହି ମେଳା ରାଜ୍ୟ ତଥା ଦେଶର ବିଭିନ୍ନ ଭାଗର ଆଦିବାସୀ ବର୍ଗର ଲୋକମାନଙ୍କୁ ନିଜର ପାରମ୍ପରିକ ସାମଗ୍ରୀ, ଜଙ୍ଗଲଜାତ ଦ୍ରବ୍ୟକୁ ବିକ୍ରି କରିବା ନେଇ ପାଖାପାଖି ୩୦୦ରୁ ଅଧିକ ଷ୍ଟଲ ପଡିଛି । ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ହେବାକୁ ଯାଉଥିବା ବେଳେ ଆଦିବାସୀ ଗ୍ରାମ ସହ ଏହି ମେଳାରେ ଜନଜାତି ସ୍ବୟଂ ସହାୟକ ଗୋଷ୍ଠୀ ପ୍ରକୋଷ୍ଠ, ଆଦିବାସୀ ହାଟ, ଆଦିବାସୀ କଳା ସାମଗ୍ରୀ ଓ ଖାଦ୍ୟ ବଜାର ଆଦିର ଆୟୋଜନ କରାଯାଇଛି ।
ତେବେ ଚଳିତ ଥର ୧୦ଟି ଆଦିବାସୀ ଗ୍ରାମ ସମେତ ୧୨୧ଟି ଷ୍ଟଲ୍ରେ ଜନଜାତିମାନେ ସେମାନଙ୍କର କଳା ସାମଗ୍ରୀ, ଜଙ୍ଗଲଜାତ ଦ୍ରବ୍ୟ ପ୍ରଦର୍ଶିତ କରିବା ସହ ବିକ୍ରିବଟା କରିବେ । ୨ ବର୍ଷ ହେଲା କୋରୋନା କଟକଣା ଭିତରେ ଏହି ମେଳା ଆୟୋଜନ ହେଉଥିବା ବେଳେ ଚଳିତ ବର୍ଷ ବିନା କଟକଣାରେ ମେଳା ହୋଇଛି । ଏଥିପାଇଁ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଆଗନ୍ତୁକଙ୍କ ପ୍ରବେଶ ପାଇଁ ୨ଟି ଫାଟକ ଓ ପ୍ରସ୍ଥାନ ପାଇଁ ଗୋଟିଏ ଫାଟକ ବ୍ୟବସ୍ଥା ରହିଛି । ପ୍ରତିବର୍ଷ ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଅବସରରେ ଅନୁଷ୍ଠିତ ହେଉଥିବା ଏହି ମେଳା ଏଥର ପୁରୁଷ ହକି ବିଶ୍ବକପ୍ ପାଇଁ ୨୫ ଦିନ ବିଳମ୍ବରେ ଅନୁଷ୍ଠିତ ହେବାକୁ ଯାଉଛି । ମେଳା ପରିସରରେ ଥିବା ସାଂସ୍କୃତିକ ମଞ୍ଚରେ ପ୍ରତିଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କାର୍ଯ୍ୟ ହେବାକୁ ଥିବା ବେଳେ ଅପରାହ୍ନ ସାଢ଼େ ୨ଟାରୁ ରାତି ୯ ଟା ଯାଏ ମେଳା ଖୋଲା ରହିବ ବୋଲି ସୂଚନା ଦିଆଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର