କାଳ ହେଲା କୋଟିପତି ହେବାର ନିଶା,ଖଣି ଟଙ୍କା ଖାଇ ଜେଲ ଗଲେ ଅତିରିକ୍ତ ନିର୍ଦ୍ଦେଶକ - additional director of mine umesh chandra jena
ଜେଲ ଗଲେ ଖଣି ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା । ଆୟ ଠାରୁ ଅଧିକ ସମ୍ପତ୍ତି ଠୁଳ କରି ଜେଲ ଚାରିକାନ୍ଥ ଭିତରେ ଅତିରିକ୍ତ ନିର୍ଦ୍ଦେଶକ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଗିରଫ ହୋଇ ଜେଲ ଗଲେ ଖଣି ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା । ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରି ଏବେ ଜେଲ ଚାରିକାନ୍ଥ ଭିତରେ ଅତିରିକ୍ତ ନିର୍ଦ୍ଦେଶକ । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଗତ ଶୁକ୍ରବାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ 13ଟି ସ୍ଥାନରେ ରେଡ କରାଯାଇଥିଲା ।
ରେଡ ବେଳେ ନଗଦ ୧କୋଟି ୬୪ ଲକ୍ଷ ଟଙ୍କା ସମେତ ଭୁବନେଶ୍ବରରେ ବହୁତଳ ବିଶିଷ୍ଟ କୋଠା, କେନ୍ଦୁଝରରେ ତିନୋଟି ବହୁତଳ ବିଶିଷ୍ଟ କୋଠା ସମେତ ୫ଟି ଫ୍ଲାଟ, ଦୁଇଟି ୪ ଚକିଆ ଗାଡି ସହ ୨ଟି ଦୁଇଚକିଆ ଓ ୬୫୦ଗ୍ରାମ ସୁନା ଠାବ କରିଥିଲା ଭିଜିଲାନ୍ସ । ଏନେଇ ୧୦ଜଣ ଡିଏସପି ଓ ୭ ଇନସ୍ପେକ୍ଟର ଭିଜିଲାନ୍ସ ସେଲ ପକ୍ଷରୁ ବିଭିନ୍ନ ସ୍ଥାନରେ ରେଡ଼ କରିଥିଲେ । ତେବେ ଖଣି ନିର୍ଦ୍ଦେଶାଳୟରେ କାମ କରୁଥିବା ଏହି ଅଧିକାରି ଖଣି କାରବାର ମାମଲାରେ ଲାଞ୍ଚ କାରବାର କରିଥାଇପାରନ୍ତି ବୋଲି ଭିଜିଲାନ୍ସ ଅନୁମାନ କରୁଛି । ଏପରିକି କେଉଁଠୁ ଏସବୁ ସମ୍ପତ୍ତି ଠୁଳ କଲେ ତାହାର ଖୋଳତାଡ କରୁଛି ଭିଜିଲାନ୍ସ ।
ସେହିପରି ଭବାନୀପାଟଣା ମାଇନର ଇରିଗେସନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ କନ୍ଦର୍ପ ପ୍ରଧାନ ମଧ୍ୟ ଆୟଠାରୁ ୭୫ ପ୍ରତିଶତ ଅଧିକ ଆୟ ଠୁଳ କରି ଗିରଫ ହୋଇଛନ୍ତି ଭିଜିଲାନ୍ସ ହାତରେ । ଗତ ଶୁକ୍ରବାର ତାଙ୍କର ୮ଟି ସ୍ଥାନରେ ରେଡ କରି ଭୁବନେଶ୍ବରରେ ୩ଟି ଫ୍ଲାଟ, ଅନୁଗୋଳରେ ୫ଟି ପ୍ଲଟ ଠାବ କରିବା ସହ ୨ଟି ଚାରି ଚକିଆ ଗାଡି ଓ ଗୋଟିଏ ଦୁଇଚକିଆ ଓ ୫୩୦ଗ୍ରାମ ସୁନା ମଧ୍ୟ ଜବତ କରିଛି ଭିଜିଲାନ୍ସ ।
ଅନ୍ୟପଟେ ୧୯୯୮ ମସିହାର ଏକ ଭିଜିଲାନ୍ସ କେସର ଭୁବନେଶ୍ବର କୋର୍ଟରେ ଶୁଣାଣି ହୋଇଛି । ପୁରୁଣା ଭୁବନେଶ୍ବରର ପୂର୍ବତନ ଆର.ଆଇ ଦାସରଥି ମାଝୀଙ୍କୁ ପିସି ଆକ୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏନେଇ ଦୋଷୀକୁ ଦୁଇବର୍ଷ କାରାଦଣ୍ଡ ସହ ୫୦ହଜାର ଫାଇନ ନିର୍ଦ୍ଦେଶ ଦେଇଛନ୍ତି । ଅନାଦେୟ ହେଲେ ଆହୁରି ୬ମାସ ଜେଲ ଦଣ୍ଡ ପାଇଁ ସଜା ଶୁଣାଇଛନ୍ତି କୋର୍ଟ । କେସର ପରିଚାଳନା କରୁଥିବା ସରକାରି ଓକିଲ କାମଦେବ ତ୍ରିପାଠୀ କହିଛନ୍ତି ଜମି ଅଧିଗ୍ରହଣ ଅଧିକାରି ଭାବେ ଭୁବନେଶ୍ୱରେ କାମ କରୁଥିବା ସମୟରେ ଲାଞ୍ଚ କାରବାର ମାମଲାରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିଲେ । ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ତାଙ୍କର ଜାଣତରେ ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଶୁଣାଣି ସମୟରେ ପ୍ରମାଣିତ ହୋଇଥିଲେ ।
ଇଟିଭି ଭାରତ, ଭୁବନେଶ୍ବର