ଭୁବନେଶ୍ବର: ଆମ ଆଦମୀ ପାର୍ଟିର ଓଡ଼ିଶା ଶାଖାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ଲୋହିଆ ଏକାଡେମୀରେ ଏହି ରାଜ୍ୟ କାର୍ଯ୍ୟକାରଣୀ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ବୈଠକର ଅଧ୍ୟକ୍ଷତା କରିଥିଲେ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର । ଦେୟ ମୁକ୍ତ ବିଦ୍ୟୁତ ଓ ପାଣି ପାଇଁ ଦସ୍ତଖତ ଅଭିଯାନ କରିବ ଆପ । ଏନେଇ ଆପ ରାଜ୍ୟ କାର୍ଯ୍ୟକାରିଣୀ ମୋହର ମାରିଛି ।
ଆପର ରାଜ୍ୟ କାର୍ଯ୍ୟକାରିଣୀ ସଭା କାର୍ଯ୍ୟ ଆରମ୍ଭରେ ରାଜ୍ୟ ସାଧାରଣ ସମ୍ପାଦକ ସୌମ୍ୟ ରଞ୍ଜନ ସ୍ୱାଇଁ ସଦସ୍ୟଙ୍କୁ ସ୍ୱାଗତ କରିଛନ୍ତି । ଏହା ସହ ରାଜ୍ୟରେ ସଙ୍ଗଠନର ସ୍ଥିତି ସମ୍ବନ୍ଧରେ ସମସ୍ତଙ୍କୁ ଅବଗତ କରାଇଛନ୍ତି । ଦେଶରେ ବର୍ତ୍ତମାନର ରାଜନୈତିକ ବାତାବରଣ, ରାଜ୍ୟର ବିଭିନ୍ନ ସମସ୍ୟା ତଥା ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ସମ୍ବନ୍ଧରେ ଆଲୋଚନା କରାଯାଇଛି । ଉପସ୍ଥିତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନେ ନିଜ ନିଜ ମତ ବ୍ୟକ୍ତ କରିଛନ୍ତି ।
ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର କହିଛନ୍ତି, "ରାଜ୍ୟରେ ସଂଗଠନ ନିର୍ମାଣ ଏବଂ ଆଗାମୀ ୨୦୨୪ ନିର୍ବାଚନ ପାଇଁ ରାଜ୍ୟ ସଂଗଠନର ପ୍ରସ୍ତୁତିର ସମୀକ୍ଷା ହୋଇଛି । ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଭ୍ରଷ୍ଟାଚାର ତଥା ବିଫଳତା ବିରୋଧରେ ଲୋକଙ୍କୁ ଦଳ ପକ୍ଷରୁ ସଚେତନ କରାଯିବ । ସଡ଼କରୁ ବିଧାନସଭା ଯାଏଁ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଆହ୍ବାନ ଦିଆଯାଇଛି । ଆମ ଆଦମୀ ପାର୍ଟିର ବିଜୁଳି, ପାଣି, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ରୋଜଗାର ରାଜନୀତିକୁ ଘରେ ଘରେ ପହଞ୍ଚାଇବା ପାଇଁ ସଦସ୍ୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
କାର୍ଯ୍ୟକାରିଣୀରେ ଦୁଇଟି ପ୍ରସ୍ତାବ ଗୃହୀତ ହୋଇଛି । ଆଗାମୀ ମାସକ ମଧ୍ୟରେ ରାଜ୍ୟ ସରକାର ୨୦୦ ୟୁନିଟ ଦେୟ ମୁକ୍ତ ବିଜୁଳି ପ୍ରତ୍ୟେକ ପରିବାରକୁ ଦେବା ପାଇଁ ଘୋଷଣା କରନ୍ତୁ । ନହେଲେ ଆମ ଆଦମୀ ପାର୍ଟି ଏହି ଦାବିକୁ ନେଇ ପ୍ରତ୍ୟେକ ଜିଲ୍ଲାରେ ଦସ୍ତଖତ ସଂଗ୍ରହ ଅଭିଯାନ ଆଗକୁ ତୀବ୍ର କରିବ । ସେହିପରି ପିଛିଲା ତାରିଖରୁ ମିଟରରେ ଦିଆଯାଉଥିବା ପାଣି ପାଇଁ ଦେୟ ଆଦାୟକୁ ଦଳ ବିରୋଧ କରିବ । ଏହା ସହିତ ପ୍ରତ୍ୟେକ ପରିବାରକୁ ଦେୟମୁକ୍ତ ପାନୀୟ ଜଳ ଯୋଗାଇ ଦେବା ପାଇଁ ଦଳ ଦାବି କରିଛି । ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ରଙ୍କ ସହ ସୁନ୍ଦରଗଡ଼ ଜିଲ୍ଲା ଆବାହକ ବିନୟ କୁମାର ତିୱାରୀ ଏବଂ ପୁରୀ ଜିଲ୍ଲା ଆବାହକ ସଞ୍ଜୀବ କୁମାର ମହାନ୍ତି ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର