ଭୁବନେଶ୍ବର: ବିଦ୍ୟାଳୟରେ ନାମଲେଖା ପାଇଁ ବାଧ୍ୟତାମୂଳକ ନୁହେଁ ଆଧାର କାର୍ଡ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ସଚିବ ଅଶ୍ବଥୀ ଏସ । ଯଦି କୌଣସି ଛାତ୍ରଛାତ୍ରୀଙ୍କର ଆଧାର କାର୍ଡ ନଥାଏ ତେବେ ସେମାନେ ସ୍କୁଲରେ ନାମ ଲେଖାଇ ପାରିବେ । ନାମଲେଖା ସମୟରେ କିଛି ପ୍ରଧାନ ଶିକ୍ଷକ ଆଧାର କାର୍ଡ ପାଇଁ ଦାବି କରିବା ଘଟଣା ସାମ୍ନାକୁ ଆସିବା ପରେ ଗଣଶିକ୍ଷା ସଚିବ ଏହି ଚିଠି କରିଥିବା ଜଣାପଡ଼ିଛି ।
![Aadhar Card](https://etvbharatimages.akamaized.net/etvbharat/prod-images/08-08-2023/od-bbsr-03-school-aadhaar-card-7206049_08082023151748_0808f_1691488068_150.jpg)
ସେ ଚିଠି ରେ ଦର୍ଶାଇଛନ୍ତି ଯେ, ଯଦି କାହାର ଆଧାର କାର୍ଡ ନଥାଏ ତେବେ ସ୍କୁଲରେ ମଧ୍ୟ ନାମ ଲେଖାଇ ପାରିବେ। ପରବର୍ତ୍ତୀ ସମୟରେ ନାମଲେଖା ହେବା ପରେ ଛାତ୍ରଛାତ୍ରୀ ଆଧାର ପ୍ରସ୍ତୁତ କରି ନିଜ ସ୍କୁଲରେ ଜମା କରିପାରିବେ। ଏନେଇ କିଛି ସ୍କୁଲରେ ପ୍ରଧାନ ଶିକ୍ଷକ ଆଧାର ଦାବି କରିବା ଦୃଷ୍ଟିକୁ ଆସିଥିଲା । ଏହା ପରେ ସମସ୍ତ ପ୍ରଧାନ ଶିକ୍ଷକଙ୍କୁ ଏ ବାବଦରେ ଅବଗତ କରିବା ପାଇଁ ସମସ୍ତ DEOଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସଚିବ। ଏହା ସହ ଛାତ୍ରଛାତ୍ରୀଙ୍କ ନାମଲେଖା ଅସୁବିଧାରୁ ମୁକ୍ତ ହେବା ସହ କିଭଳି ଭାବରେ ନାମଲେଖା ସୁଚାରୁ ରୂପେ କରାଯିବ ସେନେଇ ଧ୍ୟାନ ଦେବା ଆବଶ୍ୟକ।
ଏହା ବି ପଢନ୍ତୁ- ପ୍ରଥମ ଶ୍ରେଣୀ ନାମଲେଖା ବୟସ ଦ୍ବନ୍ଦ, ୫ରୁ ୭ ବର୍ଷ କହିଲା ଗଣଶିକ୍ଷା ବିଭାଗ
ତେବେ ନାମଲେଖାକୁ ନେଇ ଅନେକ ସମସ୍ୟା ସାମ୍ନାକୁ ଆସିଥିଲା । କେତେକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକମାନେ ବିଭିନ୍ନ ଶ୍ରେଣୀରେ ନାମ ଲେଖାଉଥିବା ପିଲାଙ୍କୁ ଆଧାର କାର୍ଡ ଦାଖଲ କରିବାକୁ ଅଭିଭାବକଙ୍କୁ ନିର୍ଦ୍ଦେଶ ଦେଉଥିଲେ । ତେବେ ପିଲାମାନଙ୍କୁ ଆଧାର କାର୍ଡ ଥିବା କିମ୍ବା ବିନା ଆଧାର କାର୍ଡରେ ବିଦ୍ୟାଳୟରେ ନାମଲେଖା କରିବାକୁ ଅନୁମତି ଦିଆଯିବା ଆବଶ୍ୟକ । ଏହା ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଯେ ଆଡମିଶନ ସମୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ।
ଛାତ୍ରମାନଙ୍କ ନାମଲେଖା ପାଇଁ ସମସ୍ତ ପ୍ରଧାନ ଶିକ୍ଷକଙ୍କୁ ଯୋଗାଯୋଗ ଏବଂ ସୂଚନା ଦେବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଯଦି ନିର୍ଦ୍ଦେଶରୁ ପରବର୍ତ୍ତୀ ସମୟରେ ପାଳନ ନ କରାଯାଏ ତେବେ ଏହାକୁ ଅତି ଗମ୍ଭୀର ଭାବରେ ନିଆଯିବ । ଅନ୍ୟପଟେ ଆସନ୍ତା ସେପ୍ଟେମ୍ବର ୧ରୁ ୧୫ ତାରିଖ ଯାଏଁ ବିଦ୍ୟାଳୟଗୁଡ଼ିକରେ ସ୍ବଚ୍ଛତା ପକ୍ଷ ପାଳନ କରାଯିବ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ୨୦୧୬ରୁ ଏହା ପାଳିତ ହୋଇଆସୁଛି ।
ଚଳିତବର୍ଷ ସେପ୍ଟେମ୍ବର ୧ରୁ ଏହା ପାଳନ କରିବାକୁ ନିଷ୍ପତ୍ତି ହୋଇଛି । ଏହି ସ୍ବଚ୍ଛତା ପକ୍ଷରେ ବିଦ୍ୟାଳୟଗୁଡ଼ିକରେ ସ୍ବଚ୍ଛତା, ପରିମଳ ଏବଂ ଅନ୍ୟାନ୍ୟ କାର୍ଯ୍ୟକୁ ଗୁରୁତ୍ବ ଦିଆଯିବ । ଏଥିରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଗୋଷ୍ଠୀର ସମ୍ପୃକ୍ତି ରହିବ। ୧ ତାରିଖ ସ୍ବଚ୍ଛତା ଶପଥ ଦିବସରେ ସମସ୍ତ ବିଦ୍ୟାଳୟ ଏବଂ କାର୍ଯ୍ୟାଳୟରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହେବ । ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ସମସ୍ତ କର୍ମଚାରୀ ପରିଷ୍କାର ପରିଚ୍ଛନ୍ନତା ପାଇଁ ଏହିଦିନ ଶପଥ ନେବେ।
ଇଟିଭି ଭାରତ, ଭୁବନେଶ୍ବର