ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମପ୍ରବାହ ସହ ବଢି ଚାଲିଛି ଜଙ୍ଗଲ ନିଆଁ । ବର୍ଦ୍ଧିତ ବନାଗ୍ନିକୁ ପ୍ରଶମନ କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ବିଗତ ସପ୍ତାହରେ ବଢ଼ିଥିବା ବନାଗ୍ନି ଉପରେ ଚିନ୍ତା ପ୍ରକଟ କରିଛନ୍ତି ଅତିରିକ୍ତ ଶାସନ ସଚିବ । ଏହା ସହ ନିଆଁ ଲାଗିବା ପରେ ନୁହେଁ ବରଂ ଲାଗିବା ପୂର୍ବରୁ କିପରି ଏହାକୁ ରୋକା ଯାଇପାରିବ ସେ ଦିଗରେ ସାମୂହିକ ପଦକ୍ଷେପ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ଏସିଏସ ସତ୍ୟବ୍ରତ ସାହୁ କହିଛନ୍ତି ,‘‘ଜଙ୍ଗଲ ନଷ୍ଟ କରିବା ସହଜ । କିନ୍ତୁ ଏହାକୁ ସୃଷ୍ଟି କରିବା କଷ୍ଟକର । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇଆସିଛନ୍ତି । ଜଙ୍ଗଲ ନିଆଁ ରୋକିବାକୁ ବର୍ଷାକୁ ଅପେକ୍ଷା ନକରି ବର୍ଦ୍ଧିତ ବନାଗ୍ନିକୁ ପ୍ରଶମିତ କରିବା ପାଇଁ ସାମୁହିକ ସହଯୋଗ ଦରକାର । ବ୍ୟାପକ ପ୍ରଚାର ପ୍ରସାର, ସଂପୃକ୍ତ ଅଞ୍ଚଳର ନେତୃସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଏହା ସହ ଜଙ୍ଗଲରେ ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।’’
ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ଜଙ୍ଗଲ ବାହିନୀର ମୁଖ୍ୟ ଦେବୀଦତ୍ତ ବିଶ୍ୱାଳ କହିଛନ୍ତି, ‘‘ବନାଗ୍ନିକୁ ପ୍ରତିହତ କରିବା ପାଇଁ ଆଧୁନିକ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରାଯାଇ ଏଯାବତ୍ ଘଟିଥିବା ୨୯୭୭୧ ବନାଗ୍ନି ମଧ୍ୟରୁ ୯୮ ପ୍ରତିଶତରୁ ଅଧିକ ବନାଗ୍ନିକୁ ପ୍ରଶମିତ କରାଯାଇଛି । ‘ମୋ ଜଙ୍ଗଲ ଆପ’ ମାଧ୍ୟମରେ ସଦ୍ୟତମ ତଥ୍ୟ ମିଳିପାରୁଛି । ରାଜ୍ୟ ମୁଖ୍ୟାଳୟ ତଥା ବନଖଣ୍ଡ ସ୍ତରରେ ୨୪ ଘଣ୍ଟିଆ ନିରୀକ୍ଷଣ କକ୍ଷ କାର୍ଯ୍ୟ କରୁଛି । ବନଖଣ୍ଡ ସ୍ତରରେ ଅଗ୍ନି ନିର୍ବାପକ ଦଳ ନିୟୋଜିତ କରାଯାଇ ସେମାନଙ୍କୁ ଲିଫ ବ୍ଲୋଅର ଏବଂ ଟର୍ଚ୍ଚ ଓ ଅନ୍ୟାନ୍ୟ ସୁରକ୍ଷା ଉପକରଣ ମଧ୍ୟ ଯୋଗାଇ ଦିଆଯାଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗତ ମାର୍ଚ୍ଚରେ ହୋଇଥିବା ବୈଠକର ନିଷ୍ପତ୍ତି ଅନୁଯାୟୀ ୧୧ଟି ବନାଗ୍ନି ପ୍ରବଣ ବନଖଣ୍ଡରେ ଓଡ୍ରାଫ ଟିମ ନିୟୋଜିତ ହୋଇଛନ୍ତି । ’’
ପରିଶେଷରେ ଦଶପଲ୍ଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦ୍ୱାରା ଜୀବନଧାରଣ ପାଇଁ ଜଙ୍ଗଲର ଆବଶ୍ୟକତା ଓ ବନାଗ୍ନି ପ୍ରଶମନ ସମ୍ବନ୍ଧୀୟ ଏକ ମର୍ମସ୍ପର୍ଶୀ ନାଟକକୁ ପ୍ରଦର୍ଶିତ କରାଯାଇଛି । ଏହି ନାଟକର ପ୍ରଚାରପ୍ରସାର ନିମନ୍ତେ ବନ ବିଭାଗ ଆବଶ୍ୟକ ପଦକ୍ଷେପ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ଭିସି ଜରିଆରେ ହୋଇଥିବା ଏହି ବୈଠକରେ ବନ ବିଭାଗର ବରିଷ୍ଠ ଅଧିକାରୀ, ୧୨ଟି ବନଖଣ୍ଡର ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର