ଖୋର୍ଦ୍ଧା: ଗଞ୍ଜାମକୁ ଟପି ଯାଇପାରେ ଖୋର୍ଦ୍ଧା । ଶନିବାର ଗୋଟିଏ ଦିନରେ ଉଭୟ ଜିଲ୍ଲାରେ ସଂକ୍ରମଣ ମାମଲା ସମାନ ସଂଖ୍ୟକ ରେକର୍ଡ କରାଯାଇଥିବା ବେଳେ ଆଜି ଖୋର୍ଦ୍ଧା ଉପଖଣ୍ଡରେ 97 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ପରେ ଖୋର୍ଦ୍ଧାରେ ରେକର୍ଡ ସଂଖ୍ୟକ ସଂକ୍ରମଣ ମାମଲା ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଦେଇଛି ।
ଗତ ଶନିବାର ଉପଖଣ୍ଡରୁ କୋଭିଡ ପରୀକ୍ଷା ପାଇଁ 339 ଜଣଙ୍କ ଠାରୁ ସ୍ୱାବ ସଂଗ୍ରହ ହୋଇଥିଲା । ସେମାନଙ୍କୁ ମଧ୍ୟରୁ ଉପଖଣ୍ଡର 97 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ସହରରୁ 9ଜଣ ପଜିଟିଭ ମିଳିଛି । ବାଲୁଗାଁରୁ 8 ,ବାଣପୁରରୁ 31,ଟାଙ୍ଗିରୁ 8, ବୋଲଗଡ଼ରୁ 24,ଜଟଣୀରୁ 5, ମେଣ୍ଢାସାଳରୁ 8, ବାଲିପାଟଣା 3 ଏବଂ ବାଳକାଟି ବ୍ଲକରୁ ଜଣେ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଗଞ୍ଜାମରେ ସଂକ୍ରମଣ ମାମଲା ହ୍ରାସ ପାଉଛି ବୋଲି ଜିଲ୍ଲାପାଳ କହିଛନ୍ତି । ସେପଟେ ଖୋର୍ଦ୍ଧାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବଢିବାରେ ଲାଗିଛି । ଶନିବାର ଉଭୟ ଜିଲ୍ଲାରେ 274 ସଂଖ୍ୟକ ପଜିଟିଭ ଚିହ୍ନଟ ହୋଇଥିଲେ । ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଜିଲ୍ଲାରେ ଗଞ୍ଜାମ ରହିଛି । ଏଠାରେ 12633 ଆକ୍ରାନ୍ତ ରହିଥିବାବେଳେ ଦ୍ବିତୀୟରେ ଖୋର୍ଦ୍ଧା 6103 ମାମଲା ରହିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ