ଭୁବନେଶ୍ବର: ଓଡ଼ିଶାର ଯୁବବର୍ଗଙ୍କ ସାମଗ୍ରିକ ବିକାଶ, ଉନ୍ନତି ଓ ସଶକ୍ତିକରଣ ପାଇଁ ରାଜ୍ୟ ସରକାର ନୂଆ ଓଡିଶା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଯୁବବର୍ଗ ମଧ୍ୟ ଏହି କାର୍ଯ୍ୟକ୍ରମକୁ ନେଇ ବେଶ ଉତ୍ସାହୀ ଅଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୧୩ରୁ ୩୫ ବର୍ଷ ବୟସ ବର୍ଗଙ୍କ ନିମନ୍ତେ ଅନୁଷ୍ଠିତ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ପାଇଁ ୫୦ ହଜାରରୁ ଊର୍ଦ୍ଧ୍ବ ଦଳ ପଞ୍ଜିକରଣ କରିଛନ୍ତି । ଏହି ଦଳଗୁଡ଼ିକ ବ୍ଲକ, ବିଜ୍ଞାପିତ ଅଞ୍ଚଳ ପରିଷଦ, ମ୍ୟୁନିସିପାଲିଟି, ମହାନଗର ନିଗମ, ଜିଲ୍ଲା ତଥା ରାଜ୍ୟସ୍ତରରେ ଅନୁଷ୍ଠିତ କ୍ରିକେଟ, ହକି, ଫୁଟବଲ, କବାଡ଼ି, ଖୋ-ଖୋ ଏବଂ ଭଲିବଲ ଆଦି କ୍ରୀଡ଼ା ବର୍ଗରେ ଅଂଶଗ୍ରହଣ କରିବେ । ଯେଉଁଥିରେ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ବ କ୍ରୀଡ଼ାବିତ ରହିଛନ୍ତି ।
ଚଳିତ ଥର ରାଜ୍ୟ ସ୍ତରରେ ଚମ୍ପିଆନ ଦଳକୁ ୨ ଲକ୍ଷ, ପ୍ରଥମ ରନର୍ସଅପକୁ ଏକ ଲକ୍ଷ ଏବଂ ଦ୍ୱିତୀୟ ତଥା ତୃତୀୟ ରନର୍ସଅପକୁ ୫୦ ହଜାର ଲେଖାଏଁ ଅର୍ଥ ପୁରସ୍କାର ରାଶି ପ୍ରଦାନ କରାଯିବ । ସେହିପରି ଜିଲ୍ଲା ଓ ମହାନଗର ନିଗମ ସ୍ତରରେ ବିଜୟୀ ଦଳକୁ ୨୦ ହଜାରରୁ ୫୦ ହଜାର ପର୍ଯ୍ୟନ୍ତ ଅର୍ଥରାଶି ପୁରସ୍କାର ଆକାରରେ ପ୍ରଦାନ କରାଯିବ । ବ୍ଲକ, ଏନଏସି, ମ୍ୟୁନିସିପାଲିଟି ସ୍ତରରେ ବିଜୟୀ ଦଳକୁ ୧୦ ହଜାରରୁ ୨୦ ହଜାର ପର୍ଯ୍ୟନ୍ତ ଅର୍ଥରାଶି ପୁରସ୍କାର ଆକାରରେ ପ୍ରଦାନ କରାଯିବ ।
ଚଳିତ ନଭେମ୍ବର ୧୫ରୁ ରାଜ୍ୟର ୨ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷାନୁଷ୍ଠାନରେ ଆରମ୍ଭ ହୋଇଥିବା ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ କ୍ରୀଡ଼ା ପ୍ରତିଯୋଗିତା ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ । କଳା ଓ ସଂସ୍କୃତିର ପ୍ରୋତ୍ସାହନ ପାଇଁ ଶିକ୍ଷାନୁଷ୍ଠାନ ସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଚାଲିବ । ନୃତ୍ୟ, ନାଟକ, ସଂଗୀତ, ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ ଏବଂ ବିତର୍କ ଆଦି କ୍ଷେତ୍ରରେ ଦଳଗତ ଏବଂ ଏକକ ପ୍ରତିଯୋଗିତା ହେବ । ଲାଇଟ୍ ଏବଂ ସାଉଣ୍ଡ ବ୍ୟବସ୍ଥା ଟେଣ୍ଟ ହାଉସ୍ରୁ ଭଡ଼ା ଆଣି କରାଯିବ ।
ଏହା ମଧ୍ୟ ପଢନ୍ତୁ-ଛାତ୍ରଛାତ୍ରୀଙ୍କ ସାଇକେଲରେ ଲାଗିଲା "ଆମେ ଗଢିବୁ ନୂଆ ଓଡ଼ିଶା"ର ବ୍ରାଣ୍ଡିଂ
କ୍ରୀଡ଼ା କ୍ଷେତ୍ରରେ ବାସ୍କେଟ୍ବଲ, କବାଡ଼ି, ବ୍ୟାଡ୍ମିଣ୍ଟନ, ଫୁଟ୍ବଲ, ହକି, ଖୋ-ଖୋ, କ୍ୟାରମ୍, କ୍ରିକେଟ, ଟେବୁଲ ଟେନିସ୍, ଚେସ୍, ଭଲିବଲ ଭଳି ପ୍ରତିଯୋଗିତା ଆୟୋଜନ କରାଯିବ । ସାମାଜିକ କାର୍ଯ୍ୟ ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରାଯିବ । ପରିମଳ, ପ୍ଲାଷ୍ଟିକ୍ମୁକ୍ତ, ସାକ୍ଷରତା, ସ୍ବଚ୍ଛତା ଅଭିଯାନ, ରକ୍ତଦାନ ଶିବିର ଭଳି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ପାଇଁ ରୂପରେଖ ପ୍ରସ୍ତୁତ ହୋଇଛି । କ୍ରୀଡ଼ା ଏବଂ ଯୁବସେବା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଇଁ ପାଣ୍ଠି ସମ୍ପୃକ୍ତ ବିଭାଗକୁ ପ୍ରଦାନ କରାଯିବ । ଉକ୍ତ ବିଭାଗ ପକ୍ଷରୁ ଶିକ୍ଷାନୁଷ୍ଠାନକୁ ଏହି ପାଣ୍ଠି ପ୍ରଦାନ କରିବେ ।
ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ କଲେଜ ପାଇଁ ପାଣ୍ଠି ଆବଣ୍ଟନ ବିଷୟ ବିଚାର କରାଯିବ । ଏହି କାର୍ଯ୍ୟକ୍ରମ ପାଇଁ ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଏସ୍ସି-ଏସ୍ଟି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, କୃଷି ଏବଂ କୃଷକ ସଶକ୍ତୀକରଣ, କ୍ରୀଡ଼ା ଏବଂ ଯୁବସେବା ବିଭାଗ ଅଂଶୀଦାର ରହିଛନ୍ତି ।
ଶିକ୍ଷାନୁଷ୍ଠାନ ସ୍ତରରେ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଖର୍ଚ୍ଚ ଅଟକଳ ପ୍ରସ୍ତୁତ ହୋଇଛି । ୧୦୦ରୁ ୨୦୦ ଛାତ୍ରଛାତ୍ରୀ ଥିବା ଶିକ୍ଷାନୁଷ୍ଠାନରେ ଏସବୁ କାର୍ଯ୍ୟକ୍ରମ ପାଇଁ ମୋଟ ୧ ଲକ୍ଷ ୫୦ ହଜାର ଟଙ୍କା, ୨୦୦-୫୦୦ ପିଲା ଥିବା ଶିକ୍ଷାନୁଷ୍ଠାନରେ ୩ ଲକ୍ଷ ଟଙ୍କା, ୫୦୦ରୁ ୧୦୦୦ ଛାତ୍ରଛାତ୍ରୀ ଥିବା ଶିକ୍ଷାନୁଷ୍ଠାନରେ ୪ ଲକ୍ଷ, ୧୦୦୦-୨୦୦୦ ମଧ୍ୟରେ ପିଲା ଥିଲେ ୬ ଲକ୍ଷ ଏବଂ ୨୦୦୦ରୁ ଅଧିକ ଛାତ୍ରଛାତ୍ରୀ ସଂଖ୍ୟା ଥିଲେ ୯ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଶିକ୍ଷାନୁଷ୍ଠାନ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ପରେ ଜିଲ୍ଲା ଓ ରାଜ୍ୟସ୍ତରରେ ଯୁବ ମହୋତ୍ସବ ଆୟୋଜନ ହେବ ।
ଇଟିଭି ଭାରତ, ଭୁବନେଶ୍ବର