ଭୁବନେଶ୍ବର: OSDMA ୩୬ତମ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି । ବିଜୁଳି ଓ ବଜ୍ରପାତ ସତର୍କତା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବା ନେଇ ବୈଠକରେ ଆଲୋଚନା ହୋଇଛି । ଭୂକମ୍ପ, ପାଣିରେ ବୁଡ଼ିଯିବା, ସାପ କାମୁଡ଼ା ଭଳି ଆକସ୍ମିକ ବିପର୍ଯ୍ୟୟ ଓ ଦୁର୍ଘଟଣାର ତ୍ବରିତ ମୁକାବିଲା ପାଇଁ ସଚେତନତା କରାଯିବ । ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(OSDMA)ର ୩୬ତମ ପରିଚାଳନା କମିଟି ବୈଠକ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଛି ।
ଏହି ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତଥା ସ୍ବତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ଅଗ୍ନିଶମ ଓ ଆପାତକାଳୀନ ସେବା ମହାନିର୍ଦ୍ଦେଶକ ଡଃ. ସୁଧାଂଶୁ ଷଡଙ୍ଗୀ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଆଶ୍ବଥୀ ଏସ୍, ଯୋଜନା ଓ ସଂଯୋଜନ ବିଭାଗ ସ୍ବତନ୍ତ୍ର ଶାସନ ସଚିବଙ୍କ ସମେତ OSDMAର ପରିଚାଳନା ନିର୍ଦ୍ଦେଶକଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।
ଓସଡମାରେ ୩୫ତମ ପରିଚାଳନା କମିଟି ବୈଠକରେ ନିଆଯାଇଥିବା ନିଷ୍ପରି ଓ ଏହାର କାର୍ଯ୍ୟକାରିତା ସମ୍ପର୍କରେ ପ୍ରଥମନେ ସମୀକ୍ଷା କରାଯାଇଥିଲା । ପରେ ବିଭିନ୍ନ ପ୍ରସ୍ତାବ ଆଗତ କରାଯାଇଥିବା ଜଣାପଡିଛି । ବୈଠକରେ ବ୍ଳକ, ପଞ୍ଚାୟତ ଓ ଗ୍ରାମ୍ୟ ସ୍ତରରେ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଯୋଜନା କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରାଯାଇଥିଲା । ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସହିତ ବିଜୁଳି ଓ ବଜ୍ରପାତ ଭଳି ବିପର୍ଯ୍ୟୟର ପରିଚାଳନା ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଛି ।
ମୟୂରଭଞ୍ଜ, ଗଞ୍ଜାମ , କେନ୍ଦୁଝର, ବାଲେଶ୍ବର,କଟକ, ସୁନ୍ଦରଗଡ଼, ନବରଙ୍ଗପୁର, ଯାଜପୁର, ବଲାଙ୍ଗୀର, କୋରାପୁଟ ଆଦି ୧୦ଟି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ବିଜୁଳି ଓ ବଜ୍ରପାତରେ ଅଧିକ ମୃତାହତ ହେଉଛନ୍ତି । ତେଣୁ ଏହି ସବୁ ଜିଲ୍ଲାରେ ସତର୍କତା ସମ୍ପର୍କରେ ଜନସାଧାରଣଙ୍କୁ ପ୍ରଶିକ୍ଷଣ ଦିଆଯିବ । ପରବର୍ତ୍ତୀ ସମୟରେ ଅନ୍ୟ ସମସ୍ତ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେହିପରି ସମସ୍ତ ବଦ୍ୟାଳୟରେ ବଜ୍ରପାତ ନିରୋଧକ ବ୍ୟବସ୍ଥା(ଲାଇଟନିଂ ଆରେଷ୍ଟର) ରହିବା ଓ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରାଯାଇଛି । ବଜ୍ରପାତ ସମୟରେ ଛାତ୍ରଛାତ୍ରୀମାନଙ୍କୁ ସତର୍କ ରହିବା ପାଇଁ ଶିକ୍ଷକଶିକ୍ଷୟତ୍ରୀ ଆବଶ୍ୟକ ସଚେତନ କରିବେ । ଏଥିପାଇଁ ଫାୟାର ଆଲାର୍ମ ବ୍ୟବସ୍ଥା ସହ ଅଗ୍ନିଶମ ବିଭାଗ ତରଫରୁ ମକ୍ଡ୍ରିଲ୍ କରାଯିବ ।
ଏହା ବି ପଢନ୍ତୁ...ନଭେମ୍ବର 27ରୁ ଐତିହାସିକ ବାଲିଯାତ୍ରା, ଓରମାସ ଖୋଲିବ 400ଟି ଷ୍ଟଲ୍
ସେହିଭଳି ମରାମତି ଆବଶ୍ୟକ ଥିବା ବନ୍ୟା-ବାତ୍ୟା ଆଶ୍ରୟସ୍ଥଳୀଗୁଡିକର ରକ୍ଷଣାବେକ୍ଷଣ ଉପରେ ଆଲୋଚନା କରାଯାଇଥିଲା । ସମସ୍ତ ଆଶ୍ରୟସ୍ଥଳୀଗୁଡିକରେ ବଜ୍ରପାତ ନିରୋଧକ ବ୍ୟବସ୍ଥା କାର୍ଯ୍ୟକ୍ଷମ ସମ୍ପର୍କରେ ଜନସାଧାରଣଙ୍କୁ ବାର୍ତ୍ତା ପ୍ରେରଣ ଆଦି ସମ୍ପର୍କରେ ବୈଠକରେ ଗୁରୁତ୍ବାରୋପ କରାଯାଇଛି । ସମସ୍ତ ସରକାରୀ କର୍ମଚାରୀମାନଙ୍କୁ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ପ୍ରଦାନ,
ବିପର୍ଯ୍ୟୟ ସମ୍ପର୍କରେ ପୂର୍ବାନୁମାନ ଓ ଆଗୁଆ ସତର୍କ ନେଇ ସୂଚନା ଦେବାର ବ୍ୟବସ୍ଥା କରାଯିବା ନେଇ ଆଲୋଚନା ହୋଇଛି । ଏଥିପାଇଁ ପ୍ରତି ଶିଳ୍ପାନୁଷ୍ଠାନମାନଙ୍କରେ ସିଭିଲ ଡିଫେନ୍ସ ସ୍ଵେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ସେମାନେ ପ୍ରାରମ୍ଭିକ ପର୍ଯ୍ୟାୟରେ ସମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ରହିବେ ।
ଇଟିଭି ଭାରତ, ଭୁବନେଶ୍ବର