ଭୁବନେଶ୍ବର: ଗୁରୁ ଦେବ ପ୍ରସାଦ ଦାସ ପରିବାର ପକ୍ଷରୁ ୨୧ ତମ ନୃତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର କୋଣ ଅନୁକୋଣର ବିଭିନ୍ନ ବର୍ଗର ନୃତ୍ୟଶିଳ୍ପୀ ମାନେ ଏହି ଆସରରେ ସାମିଲ ହୋଇ ନୃତ୍ୟ ପରିବେଷଣ କରିଛନ୍ତି । ଭୁବନେଶ୍ୱର ବୁଧ ମନ୍ଦିର ପରିସରରେ ପରିବେଷିତ ହୋଇଛି ଗୁରୁ ଦେବପ୍ରସାଦ ଦାସ ୨୧ ତମ ନୃତ୍ୟ ଆସର । ଏହି ଆସରକୁ ବିଶିଷ୍ଟ ଗୀତିକାର ଗୌରହରୀ ଦଳେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ତେବେ ଏହି ଆସରରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୧୭ ଜଣ ଓଡିଶୀ ନୃତ୍ୟ ଶିଳ୍ପୀ ସେମାନଙ୍କ ପ୍ରତିଭାକୁ ନୃତ୍ୟ ଆକାରରେ ପର୍ଯ୍ୟବେଷିତ କରିଥିଲେ ।
ଅନ୍ୟପଟେ ଏହି ଆସରରେ ବ୍ରହ୍ମପୁରର ଗୁରୁ ଦେବ ପ୍ରସାଦ ଦାସଙ୍କ ଶିଷ୍ୟ ତଥା ନୃତ୍ୟଗୁରୁ ଶିବରାମ ବାରିକଙ୍କ ୪ ଜଣ ଶିଷ୍ୟା ଯୋଗ ଦେଇ ନୃତ୍ୟ ପରିବେଷଣ କରିଥିଲେ । ୬ ବର୍ଷ ଛାତ୍ରୀ ଆହନା ରାଜଗୁରୁଙ୍କ ନୃତ୍ୟଭିନୟ "କେଡେ ଛନ୍ଦ ଜାଣେ ଲୋ ସଖୀ, ନନ୍ଦ ରାଜାର ଟିକି ପିଲାଟି" ବେଶ ଆକର୍ଷିତ କରିଥିଲା ଉପସ୍ଥିତ ଦର୍ଶକଙ୍କୁ । ତେବେ ଏହି ନୃତ୍ୟ ଆସର ଗୁରୁ ଦେବ ପ୍ରସାଦ ଦାସଙ୍କ ନୃତ୍ୟ ଶୈଳୀକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ତାଙ୍କର ଶିଷ୍ୟମାନେ କରିଥାନ୍ତି । ସେହିପରି ଏହି କାର୍ଯ୍ୟକ୍ରମ ଆଗାମୀ ପିଢ଼ି ପାଇଁ ବେଶ ଉପାଦେୟ ହୋଇ ପାରିବ ବୋଲି ଗୁରୁ ଦେବ ପ୍ରସାଦ ଦାସ ଙ୍କ ଶିଷ୍ୟ ତଥା ନୃତ୍ୟ ଗୁରୁ ସୂଚନା ଦେଇ କହିଛନ୍ତି ।
ଏହି ନୃତ୍ୟ ଆସର ଏକ ଏଭଳି ମଞ୍ଚ ଯାହା ଓଡିଶୀ ପ୍ରତି ରୁଚି ରଖୁଥିବା ପିଲାମାନଙ୍କୁ ସେମାନଙ୍କର ପ୍ରତିଭା ପ୍ରଦର୍ଶନ ପାଇଁ ଏକ ଉତ୍ସ ଯୋଗାଇଥାଏ । ଯେଉଁଠି ଜଣେ ଜଣଙ୍କ ଠାରୁ ଭିନ ଭିନ୍ନ ନୃତ୍ୟ ଶିଖିଥାନ୍ତି ଆଉ ଗୁରୁ ମାନଙ୍କ ଶିକ୍ଷାରେ ପରିମାର୍ଜିତ ହୋଇଥାନ୍ତି । ବିଶେଷ ଭାବେ ବିଶିଷ୍ଟ ଗୁରୁ ଦେବ ପ୍ରସାଦ ଦାସଙ୍କ ନୃତ୍ୟ ଧାରା ଏହି ଆସରରେ ଅନୁପ୍ରାଣିତ ହୁଅନ୍ତି ନୂଆ ନୃତ୍ୟ ଶିଳ୍ପୀ । ତେଣୁ ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସମସ୍ତେ ଖୁବ ଚମତ୍କାର ନୃତ୍ୟ ପ୍ରଦର୍ଶନ କରିଥିଲେ । ଆଉ ନୂଆ ନୂଆ ନୃତ୍ୟ ଶୈଳୀ ଶିଖିଥିଲେ । ଏହି ନୃତ୍ୟ ଆସରରେ ପ୍ରଥମ ଥର ପାଇଁ ଗଞ୍ଜାମରୁ ଆସିଥିବା ପିଲାମାନେ ଭାଗ ନେଇ ବେଶ ଖୁସି ହେବା ସହ କିଛି ନୃତ୍ୟ ଭଙ୍ଗି ଶିଖିକି ଯାଇଛନ୍ତି ବୋଲି କହିଛନ୍ତି । ଯାହା ତାଙ୍କୁ ଓଡ଼ିଶୀ କଳା ପ୍ରଦର୍ଶନ କରି ରାଜ୍ୟ ପାଇଁ ସୁନାମ ଆଣିବାକୁ ସହାୟକ ହେବ ବୋଲି କହିଛନ୍ତି ନୃତ୍ୟଗୁରୁ ।
ଇଟିଭି ଭାରତ, ଭୁବନେଶ୍ବର