ଭୁବନେଶ୍ବର: ୧୭୦ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଛି । ବୈଠକର ଅଧ୍ୟକ୍ଷତା କରିଛନ୍ତି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଗର୍ଗ । ରାଜ୍ୟର ଆର୍ଥିକ ଅଭିବୃଦ୍ଧି ନିମନ୍ତେ ବ୍ୟାଙ୍କଗୁଡ଼ିକ ସବୁ କ୍ଷେତ୍ରକୁ ଋଣ ପ୍ରଦାନ କରିବା ପାଇଁ ସେ ବୈଠକରେ ମତବ୍ୟକ୍ତ କରିଛନ୍ତି । ବ୍ୟାଙ୍କର୍ସ କମିଟି ବୈଠକରେ ବାର୍ଷିକ ଋଣ ଯୋଜନା, ନଗଦ ଜମା ଅନୁପାତ, ଆର୍ଥିକ ଅନ୍ତର୍ଭୁକ୍ତିକରଣ, ଆର୍ଥିକ ସାକ୍ଷରତା, ବ୍ୟାଙ୍କିଙ୍ଗ ଭିତ୍ତିଭୂମି, କୃଷି, ଏମଏସଏମଇ, ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ ସମ୍ବନ୍ଧରେ ଆଲୋଚନା ହୋଇଛି । ଓଡ଼ିଶା ୭୮.୮୧ ଶତକଡ଼ା ନଗଦ ଜମା ହାସଲ କରି ଏକ ସୁସ୍ଥ ଅନୁପାତ ବଜାୟ ରଖିପାରିଛି । ନଗଦ ଜମା ଅନୁପାତ ପ୍ରତ୍ୟେକ ବ୍ୟାଙ୍କ ପାଇଁ ମୁଖ୍ୟ ସୂଚକ ହୋଇଥିବାବେଳେ ରାଜ୍ୟରେ ପ୍ରତି ବ୍ୟାଙ୍କର ନଗଦ ଜମା ଅନୁପାତରେ ଉଲ୍ଲେଖନୀୟ ଉନ୍ନତି ହୋଇଛି ।
ବାର୍ଷିକ ଋଣ ଯୋଜନାରେ ୩୧ ଡିସେମ୍ବର ୨୦୨୨ ସୁଦ୍ଧା ୧୩ ହଜାର କୋଟିରୁ ଅଧିକ ଟଙ୍କାର ଋଣ ପ୍ରଦାନର ଲକ୍ଷ୍ୟ ରଖାଯାଇଛି । ବ୍ୟାଙ୍କମାନଙ୍କ ଦ୍ୱାରା ୯ କୋଟି ଅଧିକ ଟଙ୍କାର ଋଣ ପ୍ରଦାନ କରାଯାଇଛି । ଯାହା ଧାର୍ଯ୍ୟ ଲକ୍ଷ୍ୟର ୭୨.୩୩ ପ୍ରତିଶତ । ସେହିପରି କୃଷି ଋଣ କ୍ଷେତ୍ରରେ ୫ କୋଟି ଟଙ୍କାର ଲକ୍ଷ୍ୟ ରଖାଯାଇଥିବା ବେଳେ ୪୧୦୬୬ କୋଟି ଟଙ୍କାର ଋଣ ପ୍ରଦାନ କରି ବ୍ୟାଙ୍କ ଗୁଡ଼ିକ ଧାର୍ଯ୍ୟ ଲକ୍ଷ୍ୟର ୭୮.୨୮ ପ୍ରତିଶତ ହାସଲ କରିଛନ୍ତି ।
ଏମଏସଏମଇ କ୍ଷେତ୍ରରେ ଶତକଡ଼ା ୭୭.୨୮ ଲକ୍ଷ୍ୟ ହାସଲ ହୋଇଛି । ବ୍ୟାଙ୍କମାନଙ୍କ ଦ୍ୱାରା ଏମଏସଏମଇ କ୍ଷେତ୍ରକୁ ୫୯ ହଜାର ୪୪୯ କୋଟି ଟଙ୍କାର ଋଣ ପ୍ରଦାନର ଲକ୍ଷ୍ୟ ରଖାଯାଇଥିବା ବେଳେ ୪୫ ହଜାର ୯୪୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି । ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ ନିମନ୍ତେ ୮ ହଜାର ୬୫୦ କୋଟି ଟଙ୍କାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବ୍ୟାଙ୍କଗୁଡ଼ିକ ଦ୍ୱାରା ୭ ହଜାର ୮୬୩ କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି । ସ୍ୱୟଂ ସହାୟକ କ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟର ୯୦ ପ୍ରତିଶତ ହାସଲ ହୋଇଛି । ଋଣ ପରିମାଣ ବର୍ତ୍ତମାନ ୨ ଲକ୍ଷ ୮୫ ହଜାର ଟଙ୍କା ଥିବାବେଳେ ପରବର୍ତ୍ତୀ ସମୟରେ ୫-‘ଟି’ ଅଧିନରେ ଏହାକୁ ୫ ଲକ୍ଷ ଟଙ୍କା କରିବାକୁ ଲକ୍ଷ୍ୟ ରଖାଯାଇଛି । ସାମାଜିକ ସୁରକ୍ଷା ଯୋଜନା ଅଧିନରେ ବ୍ୟାଙ୍କଗୁଡ଼ିକ ଭଲ ପ୍ରଦର୍ଶନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ଅଟଳ ପେନ୍ସନ୍ ଯୋଜନାରେ ହିତାଧିକାରୀମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ଡିସେମ୍ବର ୨୨ ସୁଦ୍ଧା ନଗଦ ଜମା ଅନୁପାତ ଏବଂ ବାର୍ଷିକ ଋଣ ଯୋଜନା କ୍ଷେତ୍ରରେ ବ୍ୟାଙ୍କମାନଙ୍କର ଉତ୍ତମ ପ୍ରଦର୍ଶନ ପାଇଁ ଉନ୍ନୟନ କମିଶନର ସନ୍ତୋଷ ବ୍ୟକ୍ତ କରିଛନ୍ତି । କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଏସଏଲବିସି ଅଧ୍ୟକ୍ଷ ଇସାକ ଅଲ୍ଲୀ ଖାନ ସମସ୍ତ ବ୍ୟାଙ୍କକୁ ଶୁଭେଚ୍ଛା ଜଣାଇଛନ୍ତି । ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ ମାର୍ଚ୍ଚ ୩୧ ସୁଦ୍ଧା ବ୍ୟାଙ୍କଗୁଡ଼ିକ ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଛନ୍ତି ।
କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଏମଏସଏମଇ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ଚଢ଼ା, ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ସୁଜାତା କାର୍ତ୍ତିକେୟନ୍, ଆରବିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନୀଲ କୁମାର ଶର୍ମା, ଓଡ଼ିଶାର ବିଭିନ୍ନ ବ୍ୟାଙ୍କର ପ୍ରତିନିଧି ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଏହି ବୈଠକରେ ଯୋଗ ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର