ଭୁବନେଶ୍ବର: ମଧ୍ୟପ୍ରଦେଶ ସରକାରଙ୍କ ପ୍ରତିନିଧି ଦଳର ୩ ଦିନିଆ ଓଡ଼ିଶା ଗସ୍ତ ଶେଷ ହୋଇଛି । ୭ ଆଇଏଏସ ଅଧିକାରୀଙ୍କ ସହ ମୋଟ ୧୧ ବରିଷ୍ଠ ଅଧିକାରୀ ଏହି ଟିମରେ ସାମିଲ ଥିଲେ । ପ୍ରତିନିଧି ଦଳଙ୍କୁ ଓଡ଼ିଶା ଅର୍ବାନ ଏକାଡେମୀ ୫ଟି ପଦକ୍ଷେପ ଅନ୍ତର୍ଗତ ପରିମଳ ବ୍ୟବସ୍ଥାରେ ଫେକାଲ ସ୍ଲେଜ ଏବଂ ସେପ୍ଟେଜ ମ୍ୟାନେଜମେଣ୍ଟ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ସହରୀ ଗ୍ରାମୀଣ କନଭର୍ଜେନ୍ସ ପାଇଁ ଓଡିଶା ମଡେଲ ବିଷୟରେ ଅବଗତ କରାଯାଇଛି । ୨୫ ତାରିଖ ଦିନ ପ୍ରଥମେ ଓୟୁଏ କର୍ତ୍ତୃପକ୍ଷ ପ୍ରତିନିଧି ଦଳଙ୍କୁ ଓଡ଼ିଶା ଆପଣାଇଥିବା ପରିମଳ ବ୍ୟବସ୍ଥାର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି ମାଥିଭାଥନନ ସେମାନଙ୍କୁ ଓଡିଶାର ସହରୀ ପରିବର୍ତ୍ତନ ଉପରେ ଆଲୋକପାତ କରାଇଥିଲେ ।
ଏହାସହ ବିଭିନ୍ନ ସହରୀ ପରିମଳ ଏବଂ ଜଳ ଉତ୍ସର ବିକାଶ ଓ ସଂରକ୍ଷଣ ପ୍ରତି ନିଆଯାଇଥିବା ପଦକ୍ଷେପ ବିଷୟରେ ଅବଗତ କରାଯାଇଥିଲା । ପରିମଳ କ୍ଷେତ୍ରରେ ସୁଧାର ଆଣିବା ଲାଗି ରାଜ୍ୟ ସରକାରଙ୍କ ଦ୍ବାରା ମିଶନ ମୋଡରେ ନିଆଯାଉଥିବା ବିଭିନ୍ନ କାର୍ଯକ୍ରମ ଏବଂ ସେଥିରୁ ରାଜ୍ୟ କିପରି ଲାଭବାନ ହୋଇପାରୁଛି ତାହା ଦର୍ଶାଇଥିଲେ । ଓଡ଼ିଶା ଏହାର ଅଗ୍ରଗାମୀ ଫେକାଲ ସ୍ଲେଜ୍ ଆଣ୍ଡ୍ ସେପ୍ଟେଜ୍ ମ୍ୟାନେଜମେଣ୍ଟ ପାଇଁ ସର୍ବଭାରତୀୟ ସ୍ତରରେ ଜଣାଶୁଣା । ରାଜ୍ୟର ସମସ୍ତ ୧୧୫ ପୌରସଂସ୍ଥା ମଧ୍ୟରେ ୧୧୮ଟି ଫେକାଲ ସ୍ଲେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯାଇଛି । ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ପରିମଳର ସମ୍ମିଶ୍ରଣକୁ ନେଇ ରାଜ୍ୟବ୍ୟାପୀ କାର୍ଯ୍ୟ କରାଯାଉଛି । ଜଳ, ପରିମଳ ଏବଂ ଅନ୍ତର୍ଭୂକ୍ତ ସହରାଞ୍ଚଳ ବିକାଶ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଇକୋସିଷ୍ଟମକୁ ମଜଭୁତ କରିବା ପାଇଁ ଓୟୁଏଟିର ଭୂମିକାକୁ ନେଇ ପ୍ରମୁଖ ଶାସନ ସଚିବ ମଧ୍ୟପ୍ରଦେଶ ପ୍ରତିନିଧି ଦଳଙ୍କୁ ଅବଗତ କରାଇଛନ୍ତି ।
ଏହାମଧ୍ୟ ପଢନ୍ତୁ: ସ୍ୱାମୀ ସ୍ଥାନରେ ସ୍ତ୍ରୀ; ରାଜ୍ୟ ପଣ୍ୟଗାର ନିଗମ ଅଧ୍ୟକ୍ଷା ହେଲେ ମଞ୍ଜୁଶ୍ରୀ ବଢ଼େ
ପୌର ନିର୍ଦ୍ଦେଶକ ତଥା ମିଶନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ଏହି ଅବସରରେ ଉପସ୍ଥିତ ରହିଥିଲେ । ବିଭିନ୍ନ ଲୋକ କେନ୍ଦ୍ରିକ କାର୍ଯ୍ୟକ୍ରମ, ଏଫଏସଏସଏମ ମୂଲ୍ୟ ଶୃଙ୍ଖଳା, ଗାରିମା, ଡାଇଟ ପ୍ଲାଟଫର୍ମ ଏବଂ ରାଜ୍ୟରେ ସହରାଞ୍ଚଳ-ଗ୍ରାମୀଣ ସମ୍ମିଶ୍ରଣ ପାଇଁ ପଦକ୍ଷେପ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଅତିରିକ୍ତ ସଚିବ ଦୁର୍ଗେଶ ନଦିନୀ ସାହୁ, ପାନୀୟ ଜଳ ଏବଂ ପରିମଳ ନିର୍ଦ୍ଦେଶକ ବି ପରମେଶ୍ବରନ ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ପ୍ରତିନିଧି ଦଳଙ୍କ ସହ ଆଲୋଚନା କରିଥିଲେ ।
ବୈଠକ ପରେ ଏହି ପ୍ରତିନିଧି ଦଳ ଭୁବନେଶ୍ୱରର ବାସୁଆଘାଇରେ ଓୟୁଏଟି ଏବଂ ଏଫଏସଟିପି ପରିଦର୍ଶନ କରିଥିଲେ । ଦ୍ୱିତୀୟ ଦିନରେ ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ଥିବା ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରରେ ଥିବା ୱେଲ୍ଥ ସେଣ୍ଟର ବୁଲିଥିଲେ । ପରେ ଜଟଣୀ, କୋଣାର୍କ ଏନଏସି ଅଞ୍ଚଳରେ କ୍ଷେତ୍ର ପରିଦର୍ଶନ କରି ସ୍ଥାନୀୟ ଜନସାଧାରଣ ଓ ଏନଏସି ଅଧିକାରୀଙ୍କ ସହ ବିଭିନ୍ନ କାର୍ଯ୍ୟ ପ୍ରଣାଳୀକୁ ନେଇ ଆଲୋଚନା କରିଥିଲେ । ପରବର୍ତ୍ତୀ ଦିନ ପୁରୀର ଜଳ ବିଶୋଧନାଗାର ପରିଦର୍ଶନ କରିଥିଲେ ।