କେନ୍ଦୁଝର: ବର୍ଷା ହେଲା କାଳ । ପ୍ରବଳ ବର୍ଷା ଯୋଗୁଁ ନାଳରେ ଭାସିଯାଇ ଯୁବକ ମୃତ । ମୃତକ ଜଣଙ୍କ ହେଲେ ତେଲକୋଇ ଥାନା ଅନ୍ତର୍ଗତ ଓରିଆ ପଞ୍ଚାୟତ ପୁରୁଣାପାଣି ପାଣି ଗାଁର ଗୁରଦେବ ନାୟକ । ମିଳିଥିବା ସୂଚନା ଅନୁଯାଇ ଗତକାଲି ଜମିକୁ ହଳ କରିବାପାଇଁ ଗୁରଦେବ ତାଙ୍କ ବାପା ଓ ଭାଇ ଯାଇଥିଲେ । ତେବେ ବାପା ଓ ସାନଭାଇଙ୍କ ପାଇଁ ଖାଇବା ନିମନ୍ତେ ଭାତ ଆଣିବାକୁ ଘରକୁ ନାଳ ପାର ହୋଇ ଗୁରଦେବ ଆସୁଥିବା ସମୟରେ ବର୍ଷା ଯୋଗୁଁ ହଠାତ ନାଳରେ ଅଧିକ ପାଣି ଆସି ଯିବାରୁ ସେ ଭାସିଯାଇଥିଲେ ।
ଏନେଇ ଯୁବକ ଜଣଙ୍କୁ ପରିବାର ଲୋକେ ଗତକାଲି ଖୋଜାଖୋଜି ପରେ ବି ଗୁରୁଦେବକୁ ପାଇ ନଥିଲେ । ଆଜି ସକାଳୁ ଗାଁ ନିକଟ ଜାମ୍ବୁଧର ନାଳଟି ସଂଯୋଗ କରୁଥିବା ମହାଦେଇ ଡ୍ୟାମରେ ମୃତଦେହ ଭାସୁଥିବା ଦେଖିବାକୁ ପାଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ତେଲକୋଇ ମେଡିକାଲକୁ ଆଣିଥିଲେ । ତେବେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।
କେନ୍ଦୁଝର ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ