ଆନନ୍ଦପୁର: ଲଗାଣ ବର୍ଷାରେ ଭାଙ୍ଗି ଗଲା ଦୁଇ ଗାଁର ଯାତାୟତର ଜୀବନ ରେଖା ପାଲଟିଥିବା ଏକମାତ୍ର ପୋଲ । ଫଳରେ ନା ଗ୍ରାମକୁ ଆସିପାରୁଛି ଜରୁରୀକାଳୀନ ସେବା ଗାଡ଼ି ନା କୌଣସି ଅତ୍ୟାବଶ୍ୟକ ଜିନିଷ । ଶତାଧିକ ଲୋକ ଅସୁବିଧାରେ ଯାତାୟତ କରୁଥିବା ବେଳେ ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ବି କୌଣସି ପଦକ୍ଷେପ ନିଆଯାଉନାହିଁ । ଯାହାକି ଜନ ଆନ୍ଦୋଳନର ଆଭାସ ଦେଉଛି ।
ଆମେ କହୁଛୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତର ମଠସାହି ଗ୍ରାମ କଥା । ଯେଉଁଠିକୁ ଯିବା ପାଇଁ ରହିଛି ଏକମାତ୍ର ରାସ୍ତା । ଯାହା ଉପରେ ୨ଟି ଗ୍ରାମର ଶତାଧିକ ଲୋକମାନେ ନିର୍ଭର କରିଥାନ୍ତି । ବର୍ଷା ଦିନରେ ଗ୍ରାମବାସୀମାନେ ବହୁ ଅସୁବିଧାରେ ଘାଗରା ନାଳଟିକୁ ପାର ହେଉଥିବା ବେଳେ ଦୀର୍ଘ ଦିନର ଦାବି ପରେ ନିର୍ମିତ ହୋଇଥିଲା ଏହି ପୋଲ । ହେଲେ ଯନ୍ତ୍ରୀଙ୍କ ଦୂରଦୃଷ୍ଟି ଅଭାବ ଓ ଠିକାଦାର ଲାଭଖୋର ମନଭାବ ଯୋଗୁଁ ଲଗାଣ ବର୍ଷାରେ ଭାଙ୍ଗିଗଲା ପୋଲ ।
୨ ଟି ଗ୍ରାମକୁ ଗୋଟିଏ ରାସ୍ତା ହୋଇଥିବାରୁ ପୋଲ ଭାଙ୍ଗିଯିବା ଫଳରେ ବହୁ ଅସୁବିଧା ହେଉଥିବା ବେଳେ ପୋଲର ମରାମତି ପାଇଁ ଅଞ୍ଚଳବାସୀଙ୍କର ଦାବି ହେଉଛି । ଏବିଷୟରେ ଜିଲ୍ଲାର ପିଡ଼ି (ପଞ୍ଚାୟତିରାଜ ବିଭାଗ)ଙ୍କୁ ପଚାରିବାରୁ ସେ ଜାଣିନଥିବା ବେଳେ ଆମ ପାଖରୁ ଖବର ପାଇଲେ ଏବଂ ତୁରନ୍ତ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି । ଯଦି ତୁରନ୍ତ ସମସ୍ୟାର ସମାଧାନ କରା ନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ