କେନ୍ଦୁଝର: ଅନ୍ଧ କରିଦେଲା ସମ୍ପତ୍ତି ଲୋଭ । ତୁଚ୍ଛ ହେଲା ରକ୍ତ ସମ୍ପର୍କ । ସମ୍ପତ୍ତି ପାଇଁ ବାପାଙ୍କ ମୃତଦେହକୁ କାନ୍ଧ ନଦେଇ ସାନଭାଇକୁ ଗୋଡାଇ ମାରିଲା ବଡଭାଇ । ବାପାଙ୍କ କୋକେଇ କାନ୍ଧେଇ ମଶାଣୀ ନେଉଥିବା ଭାଇ ଓ ପଡ଼ୋଶୀଙ୍କୁ ଗୋଡ଼ାଇ ମାଡ଼ ମାରିଲେ ବଡ ଭାଇ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା କପୁଣ୍ଡି ଗାଁରେ।
ସୂଚନା ଅନୁଯାୟୀ ଗତକାଲି ଗାଁର ୯୭ ବର୍ଷୀୟ ବୃଦ୍ଧ ଚୌଧୁରୀ ନାଏକଙ୍କ ମୃତ୍ୟୁ ହୋଇଥିଲା । ବୃଦ୍ଧଙ୍କ ଦୁଇ ପୁଅ ଥିବାବେଳେ ସେ ତାଙ୍କ ସାନ ପୁଅ ଶିବପ୍ରସାଦଙ୍କ ପାଖରେ ରହୁଥିଲେ । ତେବେ ମୃତ୍ୟୁ ପୂର୍ବରୁ ଏକ ଜମି ସେ ସାନ ପୁଅ ନାଁରେ କରିଥିଲେ । ଉକ୍ତ ଜମିରୁ ଭାଗ ନେବା ପାଇଁ ବଡ ପୁଅ ରାହାସ ନାଏକ ଦାବି ମଧ୍ୟ କରୁଥିଲେ । ଗତକାଲି (ରବିବାର) ବୃଦ୍ଧ ଜଣଙ୍କ ମୃତ୍ୟୁ ହେବାରୁ ସାନ ଭାଇ ବଡ ଭାଇକୁ ସତ୍କାର ପାଇଁ ଡାକିଥିଲେ । କିନ୍ତୁ ସେ ନ ଆସିବାରୁ ପଡୋଶୀଙ୍କ ସହାୟତାରେ ଶିବପ୍ରସାଦ ବାପାଙ୍କୁ କୋକେଇରେ ସତ୍କାର ପାଇଁ ନେଇ ଯାଉଥିଲେ ।
ଏହି ସମୟରେ ବଡ଼ଭାଇ ରାହାସ ଓ ତାଙ୍କ ୫ ପୁଅ ମିଶି ସାନଭାଇ ଓ ଅନ୍ୟ ମାନଙ୍କୁ ଠେଙ୍ଗା ସାହାଯ୍ୟରେ ନିର୍ଦ୍ଧୁମ ମାଡ଼ ମାରିଥିଲେ । ଏହି ମାମଲା ଥାନାକୁ ଯିବା ପରେ ମୃତଦେହ ସତ୍କାର ହୋଇଥିବା ଜଣାପଡ଼ିଛି। ଏ ଭିଡିଓ ଭାଇରଲ ହେବାରୁ ପାଟଣା ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ