କେନ୍ଦୁଝର: କମ ଖର୍ଚ୍ଚ, ସ୍ବଳ୍ପ ପାଣି ଓ ସୌରଶକ୍ତିରେ ଫସଲ ଭରା କ୍ଷେତ । ଆଧୁନିକ ଚାଷ ପ୍ରଣାଳୀ ସାଙ୍ଗକୁ ବୈଷୟିକ ଜ୍ଞାନର ଊପଯୋଗ । ପାହାଡିଆ ଅଞ୍ଚଳରେ ବି ନାହିଁ ଜଳାଭାବର ଭୟ। ଅମଳ ହେଉଛି ଟ୍ରକ-ଟ୍ରକ ପନିପରିବା । ଭଲ 2ପଇସା ରୋଜଗାର ଯୋଗୁଁ ଆନନ୍ଦରେ ପରିବାର ପୋଷୁଛି ଚାଷୀ । ବର୍ତ୍ତମାନ ଗରିବି ବୋଝରେ ଅତିଷ୍ଠ ଚାଷୀ ଆତ୍ମହତ୍ୟା କରୁଥିବାବେଳେ କେନ୍ଦୁଝର ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ହରିଚନ୍ଦନପୁର ବ୍ଲକ ବାସିନ୍ଦାଙ୍କ ବଞ୍ଚିବାର ରାହା ପାଲଟିଛି ଡ୍ରିପ ଚାଷ ପ୍ରଣାଳୀ ।
ଏହି ବ୍ଲକର ରାସୋଳ, ଟାଙ୍ଗିରିୟାପାଳ ଓ ଦୁବୁରି ପଞ୍ଚାୟତରରେ ବାସ କରୁଥିବା ଶହ ଶହ ଆଦିବାସୀଙ୍କ ମୁଖ୍ୟ ଜୀବିକା ଚାଷ। ଜଙ୍ଗଲରୁ ଫଳ ସଂଗ୍ରହ ତ ପୁଣି କେବେ ପୋଡୁଚାଷ କରି ଏମାନେ ପେଟ ପୋଷନ୍ତି । ହେଲେ ଏବେ ଏହି ନୂଆ ଓ ଅଭିନବ ଚାଷ ପ୍ରଣାଳୀ ସାହାଯ୍ୟରେ ଆୟ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା।
ଶାଗ ଚାଷରେ ମାତ୍ର 2 ହଜାର ଟଙ୍କା ଖର୍ଚ୍ଚ କଲେ ଆୟ ହୁଏ 15 ହଜାର ଟଙ୍କା । କେବଳ ଶାଗ ନୁହେଁ ଡ୍ରିପ ପ୍ରଣାଳୀରେ ବୁନ୍ଦା ବୁନ୍ଦା ପାଣି ପକାଇ ତରଭୁଜ, ଲାଉ, ବିନ୍, ଲଙ୍କା ଭଳି ଭଳିକି ଭଳି ପନିପରିବା ଉତ୍ପାଦନ ହୋଇଥାଏ । ଏସବୁକୁ ଜିଲ୍ଲା ତଥା ରାଜ୍ୟ ବାହାରୁ ବେପାରୀ ଆସି ଉଚିତ ମୂଲ୍ୟରେ କିଣି ନେଇଯାନ୍ତି । ସବୁଠୁ ବଡ କଥା ହେଲା ଦାଦନ ଖଟିବାକୁ ଯାଉଥିବା ଏଠାକାର ଆଦିବାସୀ ଯୁବବର୍ଗ ଏବେ ଏହି ନୂଆ କୌଶଳ ଜରିଆରେ ରୋଜଗାରକ୍ଷମ ହୋଇପାରିଛନ୍ତି ।
ନୂତନ ଜ୍ଞାନ କୌଶଳ ସହ ତାଲିମ ପାଇଁ ଏଠିକାର ଆଦାବାସୀ ଯୁବପୀଢିଙ୍କୁ ସହଯୋଗର ହାତ ବଢାଇଛି ଏକ ବେସରକାରୀ ଅନୁଷ୍ଠାନ । ଏ ଜିଲ୍ଲା ତଥା ରାଜ୍ୟ ବାହାରୁ ବେପାରୀ ଆସି ଉତ୍ପାଦନକୁ ଉଚିତ ମୂଲ୍ୟ ଦେଇ କିଣି ନେଉଛନ୍ତି । ଗତ ଦୁଇ ତିନି ବର୍ଷରେ ଚାଷରୁ ଲାଭ ପାଉଥିବା ଦେଖି ଆଦିବାସୀ ଯୁବବର୍ଗ ବାହାରକୁ ଦାଦନ ପାଇଁ ନଯାଇ ଏଠି ଚାଷରେ ମନ ନିଯୋଗ କରୁଥିବା ଦେଖାଦେଇଛି।
ଡ୍ରିପ ପ୍ରଣାଳୀ କଣ?
ଏହି ଚାଷ ପ୍ରଣାଳୀ ଏକ ଉନ୍ନତ ଓ ଉଚ୍ଚକୋଟିର ବୈଷୟିକ ପ୍ରଣାଳୀ । ପାହାଡିଆ ଅଞ୍ଚଳରେ ଧାଡିକୁ ଧାଡି ଗଛ ଲଗାଯାଇଥାଏ । ଏହା ପରେ ପମ୍ପ ଲଗାଇ ପାଇପ ସାହାଯ୍ୟରେ ବୁନ୍ଦା ବୁନ୍ଦା ପାଣି ଛିଞ୍ଚାଯାଇଥାଏ । ଏହା ଦ୍ବାରା ପାଣି ଧୀରେ ଧାରେ ଗଛ ଚେର ପର୍ଯ୍ୟନ୍ତ ପହଞ୍ଚିଥାଏ । ଫଳରେ ପାଣି ବି କମ ବ୍ୟବହାର ହୁଏ ମାଟିର ଉର୍ବରତା ମଧ୍ୟ ରହିଥାଏ ।
ଏଥିସହ ପ୍ରତ୍ୟେକ ଗଛର ଉପରେ ପଲିଥିନ ଲଗାଯାଇଥାଏ । ଯାହା ଦ୍ବାରା ରୋଗପୋକ ମଧ୍ୟ ଗଛରେ ଲାଗିବା ସମ୍ଭାବନା କମିଯାଇଥାଏ। ଏଠାରେ ବିଦ୍ୟୁତ ସମସ୍ୟା ଅଧିକ ରହିଥିବାରୁ ଚାଷ କାର୍ଯ୍ୟ ପାଇଁ ସୌରଚାଳିତ ପମ୍ପକୁ ବ୍ୟବହାର କରାଯାଏ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର , ଇଟିଭି ଭାରତ