କେନ୍ଦୁଝର: ସଙ୍ଗରୋଧ କେନ୍ଦ୍ର ବ୍ୟୟ ଟଙ୍କା ପାଇବା ପାଇଁ ଦାବିକଲା ସରପଞ୍ଚ ସଙ୍ଘ । କୋରୋନା ମହାମାରୀ ପ୍ରତିହତ ପାଇଁ ସରକାର ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେଇଥିଲେ ।
ଲକଡାଉନ ସମୟରେ ଫେରୁଥିବା ପ୍ରବାସୀଙ୍କ ପାଇଁ ପ୍ରତି ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ର ସ୍ଥାପନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ । ଏହି ସଙ୍ଗରୋଧ କେନ୍ଦ୍ରର ସମସ୍ତ ଖର୍ଚ୍ଚ ପାଇଁ ପାଞ୍ଚ ଲକ୍ଷ ଟଙ୍କା ସରକାର ବ୍ୟୟ ମଞ୍ଜୁର କରିଥିଲେ ହେଁ ସମସ୍ତ ଖର୍ଚ୍ଚ ପଞ୍ଚାୟତ ଉନ୍ନୟନ ପାଣ୍ଠିରୁ ଖର୍ଚ୍ଚ କରାଯାଇଥିଲା ।
ଏହି ଖର୍ଚ୍ଚ ଅର୍ଥ ସରକାର ପଞ୍ଚାୟତକୁ ଫେରାଇବେ ବୋଲି କହିଥିଲେ । କିନ୍ତୁ ସରକାର ଉକ୍ତ ଅର୍ଥ ଫେରାଇ ନଥିବା ଅଭିଯୋଗ କରିଛନ୍ତି ସରପଞ୍ଚ ସଙ୍ଘ । ଏହାସହ କେନ୍ଦୁଝର ସଦର ବ୍ଲକର ୨୫ ଟି ପଞ୍ଚାୟତରେ ପଞ୍ଚାୟତ ସମିତିର ଅସହଯୋଗ ଯୋଗୁଁ ଏମଜିଏନଆରଜିଏସ କାର୍ଯ୍ୟ ହୋଇ ପାରୁନଥିବା ଅଭିଯୋଗ କରିଛନ୍ତି ସରପଞ୍ଚ ସଙ୍ଘ ।
ଏନେଇ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ଉକ୍ତ ଟଙ୍କା ସରକାର ପଞ୍ଚାୟତକୁ ନଫେରାଇଲେ ସରପଞ୍ଚ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ