କେନ୍ଦୁଝର: ଘର ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଭାଡାରୁ ପଡି ରାଜମିସ୍ତ୍ରୀଙ୍କ ମୃତ୍ୟୁ । ଖବର ଅନୁଯାୟୀ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ଥାନା ଅନ୍ତର୍ଗତ ସିଆଡିମାଳ ଗ୍ରାମର ଜୟପାଲ ପୃର୍ତ୍ତି ନାମକ ଜଣେ ରାଜମିସ୍ତ୍ରୀ ସାନଶିଆଡିମାଳ ଗ୍ରାମର ମଦନ ମହାନ୍ତଙ୍କ ଘର ନିର୍ମାଣ କାର୍ଯ୍ୟ କରୁଥିଲେ । ଘରର କାନ୍ଥ ଗୁଡ଼ିକ ପ୍ଲାଷ୍ଟର ନିମନ୍ତେ ଭାଡାରେ ଚଢି କାମ କରୁଥିଲେ । କୌଣସି କାରଣରୁ ଅଚାନକ ଗୋଡ଼ ଖସିଯିବାରୁ ତଳେ ପଡ଼ି ଗୁରୁତର ହୋଇଥିଲେ ।
ତାଙ୍କୁ ଗୁରୁତର ଅବସ୍ଥାରେ ସଙ୍ଗେ ସଙ୍ଗେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଳୟରେ ଚିକିତ୍ସା ଆରମ୍ଭ ପୂର୍ବରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାର ଖବର ପାଇ ଦୈତାରୀ ପୋଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ