କେନ୍ଦୁଝର: ଜମି ପାଇଁ ଦୁଇ ସମ୍ପ୍ରଦାୟ ମଧ୍ୟରେ ବିବାଦ ଦେଖାଦେଇଛି । ବିବାଦ ପୁଣି ଦୀର୍ଘ ୬ ବର୍ଷ ହେଲା ଲାଗି ରହିଥିବା ନେଇ ସୂଚନା ମିଳିଛି । ତେବେ ପ୍ରଶାସନ ସମାଧାନ ଦିଗରେ ଆନ୍ତରିକତା ଦେଖାଉ ନଥିବା କାରଣରୁ ଶେଷରେ ଆନ୍ଦୋଳନ ପନ୍ଥା ଆପଣାଇଛନ୍ତି ଲୋକେ । ସୂଚନାନୁସାରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ନଳପଙ୍ଗା ଗ୍ରାମର ମହାନ୍ତ ସମ୍ପ୍ରଦାୟର ଲୋକମାନେ ହରିଚନ୍ଦନପୁର ତହସିଲଦାର କାର୍ଯ୍ୟାଳୟ ଘେରାଉ କରିବା ସହ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦେଇଛନ୍ତି । ନଳପଙ୍ଗା ଗ୍ରାମର ୩୫ ମହାନ୍ତ ପରିବାର ଗ୍ରାମ ନିକଟରେ ଥିବା ୭୦ ଏକର ଜମିରେ ପିଢି ପରେ ପିଢି ଚାଷ ବାସ କରିବା ସହ ପରିବାର ଗୁଜୁରାଣ କରିଆସୁଛନ୍ତି । ମାତ୍ର ଗ୍ରାମରେ ଥିବା ଆଦିମ ଜନଜାତି ଜୁଆଁଙ୍ଗ ସଂପ୍ରଦାୟ ଲୋକଙ୍କୁ ସରକାର ଜମି ଯୋଗାଇବା ପାଇଁ ଲିଷ୍ଟ ନେଇ ୧୦୦ ଏକରୁ ଊର୍ଦ୍ଧ୍ବ ସରକରୀ ଜମି ପ୍ରଦାନ କରିଥିଲେ ।
ତେବେ ସେଟେଲମେଣ୍ଟ ସମୟରେ ତ୍ରୁଟି କାରଣରୁ ଜୁଆଁଙ୍ଗ ମାନେ ମହାନ୍ତ ମାନଙ୍କ ଜମି ଦଖଲ କରିବା କାରଣରୁ ୬ ବର୍ଷ ହେଲା ବିବାଦ ଆରମ୍ଭ ହୋଇଛି । ବିବାଦ ଆପୋଷ ବୁଝାମଣାରେ ସମାଧାନ ହୋଇ ନ ପାରିବା କାରଣରୁ ମାମଲା ଯାଇ କୋର୍ଟରେ ପହଞ୍ଚିଛି । ଏହା ପରେ ଏହି ମାମଲା ପଶ୍ଚିମାଞ୍ଚଳ RDCଙ୍କ ନିକଟରେ ପହଞ୍ଚିବା ପରେ ୭୦ ଏକର ପଟ୍ଟା ଜମି ମହାନ୍ତ ସଂପ୍ରଦାୟଙ୍କୁ ଦଖଲ ଦେବା ସହ ଓ ୧୦୦ ଏକରରୁ ଊର୍ଦ୍ଧ୍ବ ସରକରୀ ଜମି ଜୁଆଁଙ୍ଗଙ୍କୁ ଦଖଲ ଦେବା ପାଇଁ ୨୦୧୮ ମସିହାରୁ କେନ୍ଦୁଝର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
ମାତ୍ର ଏହି ଦିଗରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାରେ ବିଳମ୍ବ କରିଥିବା କାରଣରୁ ୨ ସମ୍ପ୍ରଦାୟ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ନିଜର ପଟ୍ଟା ଜମିରୁ ବେଦଖଲ ମହାନ୍ତ ସମ୍ପ୍ରଦାୟ ବାରମ୍ବାର ଗୁହାରି କରିବା ସତ୍ତ୍ବେ ପ୍ରଶାସନ ନିଷ୍କ୍ରିୟତା ଦେଖି ଶେଷରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ତେବେ ତହସିଲ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଥିବାବେଳେ ଆଗାମୀ ଦିନରେ ରାସ୍ତାରୋକ କରିବା ପାଇଁ ଚେତାବନୀ ଦେଇଛନ୍ତି । ଅନ୍ୟପଟେ କୋରୋନା ପାଇଁ ବିଳମ୍ବ ହେଉଥିବା ହରିଚନ୍ଦନପୁର ତହସିଲଦାର ସଫେଇ ଦେଇଥିବାବେଳେ ବିବାଦକୁ ୬ ବର୍ଷ ପୁରିବାକୁ ଯାଉଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ସମାଧାନ ରାସ୍ତା ବାହାରି ପାରି ନଥିବା ନେଇ ମହାନ୍ତ ସମ୍ପ୍ରଦାୟର ଲୋକେ ସୂଚନା ଦେଇଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ