ଆନନ୍ଦପୁର: ବଢୁଛି ଗ୍ରୀଷ୍ମ ପ୍ରବାହ ତା' ସାଙ୍ଗକୁ ବଢ଼ିବାରେ ଲାଗିଛି ଜଳକଷ୍ଟ । ପିଇବା ପାଣି ମୁନ୍ଦାଏ ପାଇଁ ସଂଘର୍ଷ କରୁଛନ୍ତି ଲୋକେ । ଗ୍ରାମବାସୀ ମାନଙ୍କ ଦୀର୍ଘ ଦିନର ପାଣି ସମସ୍ୟା ଦୂର କରିବା ପାଇଁ ଠିଆ ହୋଇଛି ଓଭରହେଡ୍ ଟାଙ୍କି, କିନ୍ତୁ ମଟର ଖରାପ ଯୋଗୁଁ ପାଣି ଆସୁନାହିଁ ପାଖାପାଖି ୩ ବର୍ଷ ହେବ । ଆଉ ଯେଉଁ ନଳକୂପ ବସିଛି ସେଥିରେ ବାହାରୁଛି ଗୋଳିଆ ପାଣି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକର ତରିମୂଳ ଗାଁରେ ।
ଏଠାରେ ୪୦୦ ପରିବାର ବସବାସ କରୁଥିବା ବେଳେ ପାଣି ସମସ୍ୟା ଦୂର କରିବା ପାଇଁ ତିଆରି ହୋଇଥିଲା ଓଭରହେଡ ଟାଙ୍କି । ହେଲେ ତାହା ୩ ବର୍ଷରୁ ଅଧିକ ସମୟ ହେଲାଣି କାର୍ଯ୍ୟକ୍ଷମ ହୋଇ ପାରୁନାହିଁ । ଫଳରେ ଗାଁ ଲୋକମାନେ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଅନ୍ୟପଟେ ଗ୍ରାମରେ ଯେଉଁ ୩ଟି ନଳକୂପ ବସିଛି ସେଠାରୁ ପାଣି ବ୍ୟବହାର କରିବା ଅନୁପଯୁକ୍ତ । ଗୋଳିଆ ପାଣି ବାହାରୁଥିବା ବେଳେ ନଳକୂପ ଅସୁରକ୍ଷିତ ପରିବେଶରେ ବସିଛି ବୋଲି କହିଛନ୍ତି ଗ୍ରାମବାସୀ ମାନେ ।
ସମସ୍ୟା ସମ୍ପର୍କରେ ପୂର୍ବରୁ ବିଡ଼ିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଅବଗତ କରାଯାଇଥିବା ବେଳେ ବିଭାଗୀୟ ଅଧିକାରୀ ମାନଙ୍କୁ ମଧ୍ୟ ଜଣାଯାଇଛି । ଅଧିକାରୀ ମାନେ ସରପଞ୍ଚଙ୍କ ଦାୟିତ୍ବ ବୋଲି କହି ଚୁପ ବସିଯାଇଛନ୍ତି । ଅନ୍ୟପକ୍ଷରେ ଯଥା ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ସରପଞ୍ଚଙ୍କ ପ୍ରତିନିଧି କହୁଥିବା ବେଳେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଅଧିକାରୀ ଏସମ୍ପର୍କରେ କ୍ୟାମେରା ସମ୍ମୁଖରେ ମୁହଁ ଖୋଲିବାକୁ ନାରାଜ । ଗ୍ରୀଷ୍ମ ଋତୁ ଥିବାବେଳେ ଜଳକଷ୍ଟ ଲୋକଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଛି । ତେଣୁ ପ୍ରଶାସନ ଏନେଇ ଖୁବଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ