କେନ୍ଦୁଝର: ହୁତୁହୁତୁ ହୋଇ ଜଳିଲା ଆଇରନ୍ ଓର୍ ବୋଝେଇ ଡମ୍ପର। ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା, ଯୋଡ଼ା ନିକଟବର୍ତ୍ତୀ ଗୁରୁବେଡ଼ା ଛକ ନିକଟରେ ଏପରି ଘଟଣା ଦେଖିବାକୁ ମିଳିଥିଲା। ଏକ ଲୁହାପଥର ବୋଝେଇ ଡମ୍ପର ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଯାଇଛି ।
ତେବେ କେଉଁ କାରଣରୁ ଡମ୍ପରରେ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ । ଓଆର୍ ୧୪ କ୍ୟୁ ୫୦୨୨ ନମ୍ବର ଥିବା ଏହି ଡମ୍ପର, ଏକ ଖଣିରୁ ଆଇରନ୍ ଓର୍ (ଲୁହାପଥର) ବୋଝେଇ କରି ଯୋଡ଼ା ଅଭିମୁଖେ ଆସୁଥିଲା।
ହେଲେ ରାତି ସମୟରେ ଯୋଡ଼ା-କାଳିମାଟି ବିଜୁ ଏକ୍ସପ୍ରେସ୍ ହାଇୱେର ଗୁରୁବେଡ଼ା ଛକ ନିକଟ ରାସ୍ତା ଉପରେ ଟ୍ରକଟି ହୁତୁହୁତୁ ହୋଇ ଜଳୁଥିବାର ଦେଖିବାକୁ ମିଳିଥିଲା । ଏନେଇ ଯୋଡ଼ା ପୋଲିସ ସୂଚନା ପାଇବା ପରେ ତଦନ୍ତ ଆରମ୍ଭ କରିଛି।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର,ଇଟିଭି ଭାରତ