କେନ୍ଦୁଝର: ଭରା ନଈ, ପାଦେ ପାଦେ ବିପଦ । କେତେବେଳେ ବି ଯାଇପାରେ ଜୀବନ । ବେକେ ପାଣିକୁ ଚିରି ପିଲା ବାହାରିଛନ୍ତି ପାଠ ପଢିବାକୁ । ଖାଲି ଛାତ୍ରଛାତ୍ରୀ କାହିଁକି ଲୋକେମାନେ ବି ନଦୀ ପାର କରି ଯାଉଛନ୍ତି ଗନ୍ତବ୍ୟ ସ୍ଥଳକୁ । ଆଉ ବଡ କଥା ହେଲା ନଈ ସେପାରିକୁ ଯିବା ପାଇଁ ସାହାରା ସାଜିଛି ଦଉଡି । ଆମେ କହୁଛୁ କେନ୍ଦୁଝର ଜିଲ୍ଲା ବାଶଂପାଳ ବ୍ଲକ ହଳଡିହି ସାହି କଥା ।
ଏହି ସାହିରେ ରୁହନ୍ତି ପ୍ରାୟ 50ରୁ ଊର୍ଦ୍ଧ୍ବ ପରିବାର । ଖରା ଦିନ ତ ଯେନତେଣ କଟିଯାଏ ହେଲେ ବର୍ଷା ହେଲେ ଯେମିତି ମାଡି ଆସେ ବିପଦ । କାରଣ ଗାଁ ସେପଟକୁ ଯିବାକୁ ହେଲେ ବାଟରେ ପଡେ ମାଳଦା ନାଳ । ଯାହାକୁ ପାର୍ କରିବା ପାଇଁ ପ୍ରଶାସନ ପକ୍ଷରୁ କେବଳ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା । ହେଲେ ସେହି ଅସ୍ଥାୟୀ ପୋଲ ବି ବର୍ଷା ଦାଉରୁ ଧୋଇଗଲା । ଫଳରେ ଗ୍ରାମବାସୀଙ୍କ ଠାରୁ ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ ଦଉଡି ଧରି ବିପଦ ସଙ୍କୁଳ ଭାବେ ନଦୀ ପାର ହୋଉଛନ୍ତି । ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଯୋଜନା ପରେ ଯୋଜନା କରି ଚାଲିଛନ୍ତି । କିନ୍ତୁ ଆଜିର ଏ ଦୃଶ୍ୟ ବିକାଶର ଅସଲି ଚିତ୍ରକୁ ପଦାରେ ପକାଇ ଦେଇଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ