କେନ୍ଦୁଝର: ସ୍କୁଲ ମିଶ୍ରଣକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ । କେନ୍ଦୁଝର ହରିଚନ୍ଦନପୁର ବ୍ଲକ ଅଧିନସ୍ଥ ଧଳପୁର ଗୋପବନ୍ଧୁ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକମାନେ ଏହି ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିକୁ ନେଇ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି । ଧଳପୁର ସ୍କୁଲଟି ନିକଟସ୍ଥ ଧଗୋଠ ସ୍କୁଲରେ ମିଶ୍ରଣ କରିବାକୁ ନିଷ୍ପତ୍ତି ନେଇଛି ଶିକ୍ଷା ବିଭାଗ । ମାତ୍ର ସ୍କୁଲ ମିଶ୍ରଣ ହେଲେ କୁନିକୁନି ଛାତ୍ରଛାତ୍ରୀଙ୍କୁ ଜଙ୍ଗଲ ଓ ନାଳ ଡେଇଁ ଅସୁରକ୍ଷିତ ଭାବେ ଯିବା ଆସିବା କରିବାକୁ ପଡିବ ବୋଲି ଅଭିଯୋଗ କରିଛନ୍ତି ଅଭିଭାବକ । ଏନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ବର୍ତ୍ତମାନ ସରକାର ରାଜ୍ୟରେ କମ ଉପସ୍ଥାନ ଥିବା ସ୍କୁଲଗୁଡିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ବନ୍ଦ ବିଦ୍ୟାଳୟକୁ ନିକଟସ୍ଥ ଅନ୍ୟ ଏକ ବିଦ୍ୟାଳୟ ସହ ମିଶ୍ରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତେବେ ଏହି ମିଶ୍ରଣ ପ୍ରକ୍ରିୟାକୁ ରାଜ୍ୟର ବହୁ ସ୍ଥାନରେ ବିରୋଧ କରାଯାଉଛି ।
ସେହିପରି ଧଳପୁର ଗୋପବନ୍ଧୁ ପ୍ରାଥମିକ ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଏହାକୁ ବିରୋଧ କରିଛନ୍ତି । ପ୍ରତିବାଦରେ ସ୍ଥାନୀୟ କାଳୀ ପଡିଆରୁ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଶୋଭାଯାତ୍ରାରେ ବାହାରି ବିକ୍ଷୋଭ କରିବା ସହ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ବିଦ୍ୟାଳୟ ମିଶ୍ରଣ ନିଷ୍ପତ୍ତିକୁ ନହଟାଇଲେ ଆଗାମୀ ଦିନରେ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ସେମାନେ ପ୍ରକାଶ କରିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ