କେନ୍ଦୁଝର: ବହୁ ବର୍ଷ ପରେ କେନ୍ଦୁଝର ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ବେଆଇନ ଧର୍ମାନ୍ତରୀକରଣ । ଜିଲ୍ଲାର ଆଦିବାସୀ ବହୁଳ ସାହରପଡା, ପାଟଣା, ଆନନ୍ଦପୁର, ତେଲକୋଇ, ସଦର ଅଞ୍ଚଳରେ କିଛି ଧର୍ମଗୁରୁ ନିରୀହ ଆଦିବାସୀଙ୍କୁ ଅର୍ଥଲୋଭ ଦେଖାଇ ଖ୍ରୀଷ୍ଟ ଧର୍ମରେ ଦୀକ୍ଷିତ କରାଉଥିବା ଅଭିଯୋଗ ହୋଇଛି । ଏପରି ଅଭିଯୋଗ ଆଣିଛି ସାନ୍ତାଳୀ ସମାଜ ।
ଏହି ଅଞ୍ଚଳର ବିଭିନ୍ନ ଗ୍ରାମ ଗୁଡିକରେ ଉକ୍ତ ଧର୍ମ ପକ୍ଷରୁ ସରକାରୀ ଜମିରେ ବେଆଇନ ଚର୍ଚ୍ଚ ନିର୍ମାଣ କରାଯାଇଥିବା ମଧ୍ୟ ଅଭିଯୋଗ ଆସିଛି । ଚର୍ଚ୍ଚ ଗୁଡିକ ଧର୍ମ ପରିବର୍ତ୍ତନ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ହୋଇଛି । ଏ ନେଇ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଏ ସଂକ୍ରାନ୍ତରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ କରିଛି ସାନ୍ତାଳୀ ସମାଜ । ଏନେଇ ସେହି ସବୁ ବ୍ଲକର ସାନ୍ତାଳୀ ସମାଜ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଏହି ବେଆଇନ ଧର୍ମାନ୍ତରୀକରଣ ବିରୋଧରେ ଯଦି ପ୍ରଶାସନ ପକ୍ଷରୁ କିଛି ପଦକ୍ଷେପ ନିଆ ନଯାଏ, ଆଗାମୀ ଦିନରେ ଜନ ଆନ୍ଦୋଳନକୁ ବ୍ୟାପକ କରାଯିବା ନେଇ ସାନ୍ତାଳୀ ସମାଜ ପକ୍ଷରୁ ଚେତାବନୀ ଦିଆଯାଇଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ