କେନ୍ଦୁଝର: ଯୋଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା । ଏକ ଚୋରି ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରିବା ସହ ସେମାନଙ୍କ ନିକଟରୁ ପ୍ରାୟ ୩ ଲକ୍ଷ ଟଙ୍କା ମୂଲ୍ୟର ସୁନା ଓ ରୂପା ଗହଣା ଜବତ କରିଛି ଯୋଡ଼ା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଯୋଡ଼ା ମୁଖାର୍ଜୀ ହଟିଂର ଆକାଶ ତନ୍ତୀ, ନେପାଳି ହଟିଂର ରୂପେଶ ନାଏକ ଓରଫ୍ ଟିପ୍ଲି, ଜାଇରା ହଟିଂ ଅଞ୍ଚଳର ଏମଡି ଛୋଟୁ ଓରଫ୍ ସାଜିଦ୍ ଏବଂ ଚୋରି ଜିନିଷ କିଣିଥିବା ଆଜାଦବସ୍ତି ଅଞ୍ଚଳର କାଳିଚରଣ ମାଝୀ ଓରଫ୍ କାଣ୍ଡେ ।
ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଜଣେ ଅଭିଯୁକ୍ତ ଏବେବି ଫେରାର ରହିଛି । ଜବତ୍ ଜିନିଷ ମଧ୍ୟରେ ୨ଟା ସୁନାଚେନ୍, ୨ଟା ସୁନା ମୁଦି, ସୁନା ଚୁଡ଼ି ୨ହଳ, ୩ ଟି ମଙ୍ଗଳ ସୁତ୍ର , ୨ ହଳ ରୂପା ଚୁଡ଼ି, ୪ ହଳ ପାଇଁଜ, ରୂପାଚେନ୍, ୫ଟି ଗୋଡ଼ ମୁଦି, ୨ଟି ରୂପା କଏନ୍, ଗୋଟିଏ ହାତଘଣ୍ଟା ଓ ଗୋଟିଏ ମୋବାଇଲ ଫୋନ ଇତ୍ୟାଦି ରହିଛି ।
ସୂଚନା ଅନୁଯାୟୀ, ଗତ ଜୁନ ୯ ତାରିଖ ବିଳମ୍ବିତ ରାତିରେ ବନେଇକଳା ବସ୍ତିର ପୁରୁଷୋତ୍ତମ ବାରିକଙ୍କ ଘରେ ଭଡ଼ାରେ ରହୁଥିବା ସାବରମଲ ବର୍ମାଙ୍କ ଘରେ କଳାକନା ବୁଲାଇ ଛୁ ମାରିଥିଲେ ଦୁର୍ବୃତ୍ତ । ଏନେଇ ଯୋଡ଼ା ଥାନାରେ ଅଭିଯୋଗ କରିଥିଲେ । ପାଖାପାଖି ୫ ଲକ୍ଷ ୪୩ ହଜାର ଟଙ୍କାର ଗହଣା ଓ ନଗଦ ଚୋରି ହୋଇଥିବା ନେଇ ସେ ଦର୍ଶାଇଥିଲେ । ଗିରଫ୍ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ