କେନ୍ଦୁଝର: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଧାଡି ପହଣ୍ଡିରେ ସ୍ନାନ ମଣ୍ଡପକୁ ବିଜେ କରିଛନ୍ତି ବଳଦେବଜୀଉ । କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣର ସ୍ନାନମଣ୍ଡପରେ ଆରମ୍ଭ ହୋଇଛି ସ୍ନାନ ଉତ୍ସବ । 2 ବର୍ଷ ପରେ ଭଗବାନଙ୍କ ଏ ଦିବ୍ୟ ଉତ୍ସବରେ ସାମିଲ ହୋଇଛନ୍ତି ଭକ୍ତ ।
ସକାଳ ୭ଟା ସମୟରେ ଠାକୁରଙ୍କର ଅବକାଶ , ୮ଟା ସମୟରେ ଲୁଗାଲାଗି ୯ଟା ସମୟରେ ପୁଷ୍ପାଞ୍ଜଳି ହୋଇଥିଲା। ୯.୩୦ ପରେ ସୁଦର୍ଶନ, ବଡଠାକୁର ଶ୍ରୀ ବଳଦେବଜୀଉ , ଭଉଣୀ ସୁଭଦ୍ରା ଓ ସାନଭାଇ ଜଗନ୍ନାଥଙ୍କ ସହ ଧାଡି ପହଣ୍ଡିରେ ଆସି ସ୍ନାନ ବେଦୀରେ ବିଜେ ହୋଇଥିଲେ । ବେଦୀରେ ଯଥାବିଧି ପୂଜାର୍ଚ୍ଚନା ପରେ ସୁନାପାତ୍ରରେ ସୁନା କୂଅରୁ ଆସିଥିବା ଜଳରେ ୩ ଠାକୁରଙ୍କୁ ସ୍ନାନ କରାଯାଇଛି । ବିଧି ଅନୁସାରେ ବଳଭଦ୍ରଙ୍କୁ ୩୫ ଗରା , ସୁଭଦ୍ରାଙ୍କୁ ୨୨ , ଜଗନ୍ନାଥଙ୍କୁ ୩୩ ଓ ସୁଦର୍ଶନଙ୍କୁ ୧୮ ଗରା ଜଳରେ ସ୍ନାନ କରାଯାଏ ।
ଦେବ ସ୍ନାନ ରୀତି ଶେଷ ପରେ ଶ୍ରୀବିଗ୍ରହଙ୍କୁ ଗଜ ବେଶରେ ସଜ୍ଜିତ କରାଯିବ । ଏଠାରେ ବଳଦେବଜୀଉଙ୍କୁ ଅଁଳା ପତ୍ରରେ ଜଗନ୍ନାଥଙ୍କୁ ତୁଳସୀ ପତ୍ରରେ ଗଜାନନ ବେଶରେ କରାଯାଉଥିବାବେଳେ ସୁଭଦ୍ରାଙ୍କୁ କୁଆଁରୀ ବେଶରେ ସଜ୍ଜିତ କରାଯାଏ । ଏହି ବେଶକୁ ଭକ୍ତମାନେ ଦେଖି ସାରିବା ପରେ ରାତି ୯ଟା ରୁ ୧୧ଟା ମଧ୍ୟରେ ଗୋଟି ପହଣ୍ଡିରେ ଆଣି ଅଣସର ଘରେ ବିଜେ କରାଯିବ । କୋରୋନା କଟକଣା ପରେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭକ୍ତ ମଧ୍ୟ ଦୀର୍ଘ ଦୁଇ ବର୍ଷ ପରେ ତ୍ରିମୂର୍ତ୍ତୀଙ୍କୁ ଦେଖି ବିଭୋର ହୋଇଛନ୍ତି ।
ଇଟିଭି ଭାରତ, କେନ୍ଦୁଝର