କେନ୍ଦୁଝର: ସରକାର ସଡକ ନିର୍ମାଣ ପାଇଁ ଖର୍ଚ୍ଚ କରୁଛନ୍ତି କୋଟିକୋଟି ଟଙ୍କା । କିନ୍ତୁ ନିମ୍ନମାନର କାମ ଯୋଗୁଁ କେଉଁଠି ରାସ୍ତାର ଅବସ୍ଥା ଶୋଚନୀୟ ତ କେଉଁଠି ଖାଲଖମରେ ଭର୍ତ୍ତି। ନିମ୍ନମାନର କାର୍ଯ୍ୟ ଯୋଗୁଁ ଏସବୁ ସଡକ ନଷ୍ଟ ହେଉଥିବା ବହୁବାର ଅଭିଯୋଗ ହେଉଛି । ଏହାସତ୍ବେ ନିମ୍ନ ମାନର କାମ ବନ୍ଦ ହେଉ ନାହିଁ ।
କେନ୍ଦୁଝର ସହର ମଧ୍ୟ ଦେଇ ଦୁଇଟି ଜାତୀୟ ରାଜପଥ ଯାଇଛି । ବର୍ତ୍ତମାନ ଏହି ଦୁଇ ରାଜପଥର ସମ୍ପ୍ରସାରଣ ହେଉଥିବାରୁ ନିର୍ମାଣ କାର୍ଯ୍ୟ ଚାଲିଛି । ଏହାସହ ସହରର ଗାନ୍ଧୀ ଛକ ଠାରୁ 2କିମି ଯାଏଁ ରାସ୍ତା ଖାଲଖମା ହୋଇଯାଇଛି । ଯଦ୍ବାରା ଏହି ଜନଗହଳି ରାସ୍ତାରେ ସବୁବେଳେ ଛୋଟବୋଡ ଘଟଣା ଦୁର୍ଘଟଣା ଘଟୁଛି । ତେବେ ଏହି ଖାଲଖମା ରାସ୍ତାର ମରାମତି ଚାଲିଛି ଏବେ । କିନ୍ତୁ ମରାମତିକୁ ନେଇ ଏବେ ଦେଖାଦେଇଛି ବିବାଦ।
କାରଣ ଆଜି କେନ୍ଦୁଝରରେ ବର୍ଷା ହେଉଥିବା ବେଳେ ବର୍ଷାରେ ରାସ୍ତାକୁ ମରାମତି କରାଯାଉଛି । ଫଳରେ ଏହାର ସ୍ଥାୟୀତ୍ବ ନେଇ ପ୍ରଶ୍ନ ଉଠିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଉଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ