ଆନନ୍ଦପୁର: ଓଡି଼ଆ ଢଗ ଢମାଳିରେ ଗୋଟିଏ କଥା ଅଛି । ନାଲି ଟୁକୁଟୁକୁ ସାଧବ ବୋହୂ , ମେଘ ବରଷା ରେ କୁଆଡ଼େ ଯାଉ । ବର୍ଷାର ପ୍ରଥମ ଅସରା ଯେତେବେଳେ ଧରାପୃଷ୍ଠକୁ ସ୍ପର୍ଶ କରେ ସେତେବେଳେ ନିଜର ସୁନ୍ଦର ରୂପରେ ସମସ୍ତଙ୍କ ମନ ମୋହି ନିଅନ୍ତି ସାଧବ ବୋହୂ । ନାଲି ରଙ୍ଗ ଆବରଣରେ ସବୁଜ ଧରଣୀକୁ ଅଧିକ ଆକର୍ଷଣୀୟ କରନ୍ତି ଏମାନେ । ସାଧବବୋହୂକୁ ଶୁଖ ଓ ସମୃଦ୍ଧିର ବାର୍ତ୍ତାବହ ବୋଲି ବିଶ୍ବାସ କରନ୍ତି ଚାଷୀକୂଳ ।
କାହିଁ କେଉଁ କାଳରୁ ଚାଷି ଭାଇର ସାଥୀ ପାଲଟିଛି ସାଧବ ବୋହୂ । ସାଧବବୋହୂକୁ ଦେଖି ଏ ବର୍ଷ ଭଲ ଫସଲ ହେବ ବୋଲି ଅନୁମାନ କରିନିଏ ଚାଷୀ ଭାଇ । କିନ୍ତୁ ଚାଷୀକୂଳଙ୍କ ସେହି ବିଶ୍ବାସ ଧୀରେ ଧୀରେ ମଳିନ ହୋଇଯାଉଛି । ବିକାଶର ପ୍ରସସ୍ତ ପଥ ଉପରେ ନିଜର କୁନି କୁନି ପାଦ ରଖିବାକୁ ଆଉ ସ୍ଥାନ ପାଉନାହିଁ ସାଧବବୋହୂ ।
ଉତପ୍ତ ଖରାଦିନରେ କେଉଁଆଡେ ଉଭାନ ହେଉଯାଉଥିବା ଏହି ପୋକ ବର୍ଷା ହେବା ମାତ୍ରେ କେଉଁଠୁ ଯେ ଆବିର୍ଭାବ ହୁଅନ୍ତି ତାହା କେହି କହି ଜାଣି ନାହାନ୍ତି । ସାଧବ ବୋହୂ ନାଁ ଟି କେଉଁଠୁ ଆସିଛି ତାହା ମଧ୍ୟ କହିପାରିବା କଷ୍ଟ । ସାଧବ ଘର ବୋହୁ ନାଲି ପାଟ ଶାଢ଼ୀ ପିନ୍ଧିବା ପରେ ଯେମିତି ସୁନ୍ଦର ଦେଖାଯାଏ ସେମିତି ସୁନ୍ଦର ଏହି ପୋକ ଦେଖାଯାଉଥିବାରୁ ବୋଧହୁଏ ତାକୁ ମଧ୍ୟ ସାଧବବୋହୂ ବୋଲି କୁହାଯାଏ । ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ନାଁରେ ଜଣା ଶୁଣା ଏହି କୁନି କୀଟଟି । କେଉଁଠି ବୀର ବାହୁତି, କେଉଁଠି ରାନୀ କିଡା, ସ୍କାଲେଟ ଫ୍ଲାଏ, ତ କେଉଁଠି ରେନ ବଗ ।
ବିଭିନ୍ନ ରାଜ୍ୟରେ ଏହା ଭିନ୍ନଭିନ୍ନ ନାମରେ ପରିଚିତ। କେଉଁଠି ଏହା ବୀର ବାହୁତି, ବୀର୍ବାବୋତି, ସ୍କାର୍ଲେଟ ଫ୍ଲାଏ, ଲେଡି ଫ୍ଲାଏ, ଭେଲ୍ଭେଟ ବୁଚି (ତେଲୁଗୁ, ହାଇଦ୍ରାବାଦ) ନାମରେ ପରିଚିତ ତ କେଉଁଠି ଆରୁଦ୍ରା ପୁରୁଗୁ (ଆଉ ଏକ ତେଲୁଗୁ ଶବ୍ଦ), ରାନୀ କିଡା (ହିନ୍ଦୀ/ଉର୍ଦ୍ଦୁ), ଗୋକଳ ଗାୟ ଅଥବା ମାମା ନି ଗାୟ (ଗୁଜରାଟ), ଇନ୍ଦ୍ରଗୋପ, ମିରାଗ (ମରାଠୀ), ପାଟ୍ଟୁ ପାପାଥି ପୂଚି(ତାମିଲ) ଭାବରେ ପରିଚିତ।
ପ୍ରକୃତିରେ ଅନେକ ସୁନ୍ଦର ସୃଷ୍ଟି ମଧ୍ୟରୁ ଅନ୍ୟତମ ହେଉଛି ସାଧବ ବୋହୂ । ତେବେ ମଣିଷ ଯୋଗୁଁ ଆଜି ଏ କୁନି ଜୀବଟି ମଧ୍ୟ ଖୋଜୁଛି ନିଜ ଜୀବନର ସତ୍ତା । ଦିନ ଥିଲା ବର୍ଷା ପଡ଼ିବା ମାତ୍ରେ ଘାସ ଉପରେ ହସି ଉଠୁଥିଲେ ଅନେକ ସାଧବ ବୋହୂ । ଏବେ କିନ୍ତୁ ସେ ଦୃଶ୍ୟ ବିରଳ । ଯଥାଶୀଘ୍ର ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ । ନଚେତ ବିରଳ ଜୀବଙ୍କ ତାଲିକାରେ ସାଧବ ବୋହୂର ନାଁ ବି ଖୁବ୍ ଶୀଘ୍ର ଜୋଡ଼ି ହୋଇଯିବ ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ