କେନ୍ଦୁଝର: ଓଡ଼ିଶା କୋଠାବାଡ଼ି ଶ୍ରମିକ ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ସଂଘ କେନ୍ଦୁଝର ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ୯ ଦଫା ଦାବି ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶ୍ରମିକ ସଂଗଠନ । ଏହାକୁ ନେଇ ସ୍ଥାନୀୟ କାଳୀ ପଡ଼ିଆରୁ ଏକ ବିରାଟ ପଦଯାତ୍ରାରେ ଶତାଧିକ ନିର୍ମାଣ ଶ୍ରମିକ ବାହାରି କେନ୍ଦୁଝର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।
ଏହାପରେ ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ହିଁ ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରିବା ଦାବି କରିବାକୁ ସ୍ଲୋଗାନ ଦେବା ଆରମ୍ଭ କରି ଦେଇଥିଲେ । ନିର୍ମାଣ ଶ୍ରମିକ ଚିହ୍ନଟ କରି ତାଙ୍କୁ ସହାୟତା ପ୍ରଦାନ, ବୟସ ତାରତମ୍ୟ ନରଖି ସମସ୍ତ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ପ୍ରଦାନ, ସୁରୁଖୁରୁରେ ପଞ୍ଜୀକରଣ, ଶ୍ରମ କାର୍ଯ୍ୟାଳୟରେ ଅଧିକାରୀ ନିଯୁକ୍ତ ଆଦି ଦାବି ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ କରାଯାଇଛି । ରାଜ୍ୟ ସରକାର ଆଗାମୀ ଦିନରେ ଏହି ଦାବି ଗୁଡ଼ିକ ନମାନିଲେ ତୀବ୍ର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ନିର୍ମାଣ ଶ୍ରମିକ ସଂଘ ।
ଶ୍ରମିକମାନେ ଦେଶ ଗଠନରେ ମୂଳଦୁଆ ପକାଉଛନ୍ତି । ଏହି ଶ୍ରମିକଙ୍କ ହିତ ପାଇଁ କେନ୍ଦ୍ର ସରକାର ବିଭିନ୍ନ ସହଯୋଗ ଯୋଗାଇ ଦେଉଛନ୍ତି । କିନ୍ତୁ ଶ୍ରମିକଙ୍କ ପାଇଁ ଯୋଗାଇ ଦିଆଯାଉଥିବା ବିଭିନ୍ନ ପ୍ରକାରର ସହୟତା ସଠିକ ଢଙ୍ଗରେ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ କରିଛନ୍ତି ନିର୍ମାଣ ଶ୍ରମିକ ସଂଘ ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ