କେନ୍ଦୁଝର: ପଞ୍ଚାୟତର ହିତାଧିକାରୀଙ୍କ ମୃତ୍ୟୁ ପରେ ତାଙ୍କ ନାମରେ ଆସୁଥିବା ଭତ୍ତା ଟଙ୍କାକୁ ପିଇଓ ଓ ସରପଞ୍ଚ ହଡ଼ପ କରୁଥିବା ନେଇ ହୋଇଛି ଅଭିଯୋଗ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ତେନ୍ତଳାପଶି ପଞ୍ଚାୟତରେ । ଏହି ଘଟଣା ଜଣେ କି ଦୁଇ ଜଣ ହିତାଧିକାରୀ ନୁହଁ ୩୩ ଜଣ ହିତାଧିକାରୀଙ୍କ ମୃତ୍ୟୁ ପରେ ତାଙ୍କ ନାମରେ ଭତ୍ତା ଟଙ୍କାକୁ ମିଳିମିଶି ଖାଇ ଆସୁଛନ୍ତି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ତେନ୍ତଳାପଶି ପଞ୍ଚାୟତର ପୂର୍ବତନ ପିଇଓ ଓ ସରପଞ୍ଚ ।
ସବୁଠାରୁ ବଡ଼କଥା ହେଉଛି ଏହି ଟଙ୍କା ହଡ଼ପ ଖାଲି ଯେ ଜଣେ ପିଇଓ କରି ନାହାଁନ୍ତି ବରଂ ଏଥିରେ ୩ରୁ ୪ଜଣଙ୍କ ସଂପୃକ୍ତି ଥିବା ନେଇ ସୂଚନା ମିଳିଛି । ସୂଚନାନୁଯାୟୀ ୨୦୧୧ ମସିହାରୁ ୨୦୨୦ ମସିହା ମଧ୍ୟରେ କାର୍ଯ୍ୟରତ ଥିବା ସମସ୍ତ ପିଇଓ ତେନ୍ତଳାପଶି ପଞ୍ଚାୟତରେ କାର୍ଯ୍ୟରତ ଥିଲେ ସମସ୍ତେ ସରପଞ୍ଚଙ୍କ ସହ ମିଶି ଭତ୍ତା ଟଙ୍କା ହଡ଼ପ କରିଥିବା ନେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପଞ୍ଚାୟତବାସୀ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଜଣକ ପରେ ଜଣେ ପିଇଓ କାର୍ଯ୍ୟ କରି ବଦଳି ହୋଇଥିଲେ ସୁଦ୍ଧା ଏହି ଭତ୍ତା ଟଙ୍କା ହଡପ ଘଟଣାକୁ ପଦାକୁ ଆଣିବା ତ ଦୂରର କଥା ଏହି ଘଟଣାରେ ନିଦାବିଷ୍ଣୁ ସାଜି ଜଣକ ପରେ ଜଣେ ଲୁଟି ଚାଲିଥିଲେ ମୃତକଙ୍କ ଟଙ୍କା ।
ତେବେ ସ୍ଥାନୀୟ ଅଞ୍ଚଳର ଲୋକେ ଏନେଇ ବାରମ୍ବାର ଲିଖିତ ଅଭିଯୋଗ କରିବା ପରେ ଏହି ଜାଲିଆତି ଭତ୍ତା ଟଙ୍କା ଉଠାଣ ବର୍ତ୍ତମାନ ବନ୍ଦ ରହିଛି ହେଲେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଭିଯୋଗକାରୀ । ଦୀର୍ଘ ଦିନ ଧରି ଭତ୍ତା ପାଇ ଆସୁଥିବା ହିତାଧିକାରୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଙ୍ଗନଓ୍ବାଡି କର୍ମୀମାନେ ବ୍ଲକ କାର୍ଯ୍ୟାଳୟକୁ ଲିଖିତ ଭାବେ ଜଣାଇଥିଲେ ସୁଦ୍ଧା ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପିଇଓଙ୍କ ଚଞ୍ଚକତା ଯୋଗୁଁ ମୃତ ବ୍ୟକ୍ତିଙ୍କ ନାମକୁ ଭତ୍ତା ଲିଷ୍ଟରୁ ବାଦ୍ ନଦେଇ ଭତ୍ତା ଟଙ୍କା ବଣ୍ଟନ ହେଉଥିଲା ।
ଏନେଇ ମୃତ ହିତାଧିକାରୀଙ୍କ ପରିବାରବର୍ଗ ଅଭିଯୋଗ କରିବା ସହିତ ଚଞ୍ଚକତା କରି ଭତ୍ତା ଟଙ୍କା ଉଠାଇଥିବା ପୂର୍ବତନ ପିଇଓ ଓ ସରପଞ୍ଚଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେପଟେ ଅନେକ ଗରିବ ଯୋଗ୍ୟ ହିତାଧିକାରୀ ସରକାରଙ୍କ ଏହି ଭର୍ତ୍ତା ସ୍କିମରୁ ବାଦ୍ ପଡିଥିବା ବେଳେ ପିଇଓ ମାନଙ୍କ ଏଭଳି ଚଞ୍ଚକତା ସ୍ଥାନୀୟ ଅଞ୍ଚଳରେ ଅତି କ୍ଷୋଭର ପରିସ୍ଥିତି ସୃଷ୍ଟି କରିଛି । ଏହି ଭତ୍ତା ଜାଲିଆତି ଘଟଣାରେ କେନ୍ଦୁଝର ଉପଜିଲ୍ଲାପାଳଙ୍କୁ ପଚାରିବାରୁ ସେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି ।
କେନ୍ଦୁଝରରୁ ସନ୍ତାେଷ କୁମାର ମହାପାତ୍ର, ଇଟିଭି ଭାରତ