କେନ୍ଦୁଝର: ମାଉଣ୍ଟେନ ମ୍ୟାନ ପଦ୍ମଶ୍ରୀ ଦୈତାରୀ ନାଏକ ଏବେ ସରକାରୀ ସାହାଯ୍ୟ ପାଇବାରୁ ବଞ୍ଚିତ। ପାହାଡ କାଟି ପାଣି ଆଣି ଟାଙ୍ଗରା ଭୂମିରେ ଫସଲ ଫଳାଇଥିବା ଦୈତାରୀଙ୍କୁ ଏପର୍ଯ୍ୟନ୍ତ ମିଳିନି ସରକାରୀ ସହାୟତା । ମାସକୁ 10 ହଜାର ଟଙ୍କା ଦେବାକୁ ସରକାର ଜୁଲାଇରୁ ଘୋଷଣା କରିଥିବା ବେଳେ ତାଙ୍କୁ ଏପର୍ଯ୍ୟନ୍ତ ମିଳିପାରିନି ଅର୍ଥ।
ପାହାଡ କାଟି କେନ୍ଦୁଝରର ତଳ ବୈତରଣୀ ଗାଁରେ ପାଣି ପହଞ୍ଚାଇଥିବାରୁ ତାଙ୍କୁ ମିଳିଥିଲା ପଦ୍ମଶ୍ରୀ ପୁରସ୍କାର । ତେବେ ଏହା ପରେ ମୂଲମଜୁରୀ ଲାଗି ଦିନ କାଟୁଥିବା ଦୈତାରୀଙ୍କୁ ଆଉ କେହି କାମକୁ ଡାକି ନଥିଲେ । ଫଳରେ ସେ ଆର୍ଥିକ ଅନଟନ ଭିତରେ ଗତି କରିବା ଆରମ୍ଭ କଲେ ।
ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସରକାର ତାଙ୍କୁ ମାସକୁ 10 ହଜାର ଟଙ୍କା ଦିଆଯିବ ବୋଲି ଘୋଷଣା କରାଯାଇଥିଲା । ତେବେ ଜୁଲାଇରେ ଏହା ଘୋଷଣା ହୋଇଥିବାବେଳେ ଏପର୍ଯ୍ୟନ୍ତ ମଧ୍ୟ ତାଙ୍କୁ ଏହି ଟଙ୍କା ମିଳିନାହିଁ।
ଟଙ୍କା ଆଶାରେ ବାରମ୍ବାର ବ୍ୟାଙ୍କ ଯାଇ ସେ ଫେରିଥିଲେ ବି ତାଙ୍କ ଖାତାରେ ପଇସା ନାହିଁ । ଖାଲି ଏତିକି ନୁହେଁ ତାଙ୍କ ପାଇଁ ନିର୍ମାଣ ହୋଇଥିବା ଘର ମଧ୍ୟ ଶେଷ ହୋଇନାହିଁ । ଯାହା ତାଙ୍କ ପ୍ରତି ପ୍ରତାରଣା ବୋଲି କହିଛନ୍ତି ପଦ୍ମଶ୍ରୀ ଦୈତାରୀ ନାଏକ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ