କେନ୍ଦୁଝର: ଦିନକୁ ଦିନ କେନ୍ଦୁଝର ଜିଲ୍ଲାରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଛି । ଅଧାପନ୍ତରିଆ ରାସ୍ତା ନିର୍ମାଣ ଯୋଗୁଁ ଏଭଳି ଦୁର୍ଘଟଣା ସଂଖ୍ୟା ବୃଦ୍ଧି ନେଇ ଜନସାଧାରଣ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି । ରବିବାର ସକାଳୁ ଏଭଳି ଅଧାପନ୍ତରିଆ ରାସ୍ତା ଯୋଗୁଁ ଜଣେ ବାଇକ ଆରୋହୀଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି ।
ଖବର ଅନୁଯାୟୀ, ଯୋଡ଼ାପୋଖରୀ ଗ୍ରାମର ଋଷିନାଥ ମହାନ୍ତ ବାଇକ ଯୋଗେ ଯୋଡାକୁ ଡ୍ୟୁଟି କରିବାକୁ ଯାଉଥିଲେ ।ଏହି ସମୟରେ ଚମ୍ପୁଆ ଥାନା ଅନ୍ତର୍ଗତ ବାସୁଦେବପୁର ଛକ ନିକଟରେ ଏକ ମାଲ ବୋଝେଇ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା ।
ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ମୃତଦେହକୁ ରାସ୍ତା ଉପରେ ରଖି କ୍ଷତିପୂରଣ ଦାବି କରିଛନ୍ତି ସ୍ଥାନୀୟ ଜନସାଧାରଣ । ଖବର ପାଇ ଚମ୍ପୁଆ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ