କେନ୍ଦୁଝର: ରୁଙ୍ଗଟା କମ୍ପାନୀ ପକ୍ଷରୁ ଜିଲ୍ଲାରେ ଆରମ୍ଭ ହେବ କାରଖାନା । ଏନେଇ ନୂଆଗାଁ ପଞ୍ଚାୟତରେ ଦୁଇଜଣ ବ୍ୟକ୍ତି ଡ୍ରୋନ୍ ସହାୟତାରେ ବେଆଇନ ଭାବେ ଗ୍ରାମର ଫଟୋ ଉଠାଉଥିଲେ । ଯାହାକୁ ନେଇ ଗ୍ରାମରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । କମ୍ପାନୀକୁ ଜମି ଦେବେ ନାହିଁ ବୋଲି ଅଡ଼ି ବସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ଗ୍ରାମବାସୀ ।
ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ, ଆମେ ଚାଷ ଜମିରେ ଫସଲ କରୁଛୁ । ଏହି ଚାଷ ଜମିରେ ଫସଲ କରି ଯେଉଁ ଟଙ୍କା ଉପାର୍ଜନ କରୁଛି ସେଥିରେ ଆମ ପରିବାର ଚଳେ । ଜମି ଚାଲି ଗଲେ ଆମେ ଖାଇବୁ କଣ । କମ୍ପାନୀ ଯଦି ଚାହିଁବ ଆମେ ତାଙ୍କ କର୍ମଚାରୀଙ୍କୁ ଦରମା ଦେବୁ । କିନ୍ତୁ ମରିଯିବୁ ପଛେ ଇଞ୍ଚେ ଜମି ରୁଙ୍ଗଟା କମ୍ପାନୀକୁ ଦେବୁ ନାହିଁ ବୋଲି କହିଛନ୍ତି ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତବାସୀ । ଏହି ଚାଷ ଜମି ନଦେବା ପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ପଞ୍ଚାୟତବାସୀ ଗୁହାରି କରି ଆସିଛନ୍ତି । କିନ୍ତୁ ପ୍ରଶାସନ ଏହାକୁ ବେଖାତିର କରି ସର୍ଭେ ଆରମ୍ଭ କରିଥିବା ଅଭିଯୋଗ କରିଛନ୍ତି ପଞ୍ଚାୟତବାସୀ ।
ଗୁରୁବାର ଶତାଧିକ ନୂଆଗାଁ ପଞ୍ଚାୟତବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଗୁହାରି ନଶୁଣିଲା ପର୍ଯ୍ୟନ୍ତ ବିକ୍ଷୋଭ ବନ୍ଦ ହେବ ନାହିଁ ବୋଲି ଅକହିଥିଲେ ଗ୍ରାମବାସୀ । ପରେ ଅତିରିକ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିବା ପରେ ପ୍ରତିବାଦ ହଟିଥିଲା । ପ୍ରକାଶ ଯେ, ବୁଧବାର କେନ୍ଦୁଝର ସଦର ଥାନା ଅଧୀନ ନୂଆଗାଁ ପଞ୍ଚାୟତରେ ଦୁଇଜଣ ବ୍ୟକ୍ତି ଡ୍ରୋନ୍ ସହାୟତାରେ ବେଆଇନ ଭାବେ ଫଟୋ ଉଠାଉଥିବା ନେଇ ଗ୍ରାମବାସୀ ତାଙ୍କୁ ଧରି ପୋଲିସ ଜିମା ଦେଇଥିଲେ । ଅନ୍ୟପକ୍ଷେ ଏକ କମ୍ପାନୀ ପକ୍ଷରୁ କାରଖାନା ହେବାକୁ ଥିବା ବେଳେ ଡ୍ରୋନ୍ ସହାୟତାରେ ଫଟୋ ଉଠାଉଥିବା ଜଣାପଡ଼ିଥିଲା । ଏନେଇ ଗାଁରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା । ସଦର ଥାନା ଅଧିକାରୀ ଓ ଏସ୍ଡିପିଓ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଏନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।
ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲାରେ ଏକ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ବହୁବାର ଆନ୍ଦୋଳନ କରାଯାଇଛି । କେନ୍ଦୁଝର ଜିଲ୍ଲାରେ ଷ୍ଟିଲ ପ୍ଲାଣ୍ଟ ନେଇ ସମସ୍ତ ସୁବିଧା ସୁଯୋଗ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପ୍ଲାଣ୍ଟ ପ୍ରତିଷ୍ଠା ହୋଇପାରୁନାହିଁ । ବହୁ ଆନ୍ଦୋଳନ ପରେ ରୁଙ୍ଗଟା ପକ୍ଷରୁ ବଡ଼ବିଲ ଠାରେ ୫ମେଟ୍ରିକ ଟନ୍ର ଏକ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି । କିନ୍ତୁ ଏହାର ସୁଫଳ କେନ୍ଦୁଝର ଜିଲ୍ଲାର ଅଧିବାସୀ ପାଇ ପାରୁନାହାନ୍ତି । କମ୍ପାନୀ ମାନେ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା ନାମରେ ବହୁ ମୂଲ୍ୟବାନ ଜମି ହାତୋଇ ଥିବା ଅଭିଯୋଗ ହେଉଛି । ରୁଙ୍ଗଟା କମ୍ପାନୀ ଚାଷ ଜମି ଛାଡି ଅନ୍ୟତ୍ର ଜମି ଖୋଜି ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ କ୍ଷତିଗ୍ରସ୍ତ ପଞ୍ଚାୟତବାସୀ ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, କେନ୍ଦୁଝର