ଆନନ୍ଦପୁର: ଅସହାୟ ମା ଓ ପୁଅଙ୍କୁ ପୋଡି ନୃଶଂସ ହତ୍ୟା । କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା କଳିଙ୍ଗାରେ ଘଟିଛି ଏଭଳି ବର୍ବର କାଣ୍ଡ । ଗାଁର 80ବର୍ଷୀୟା ବୃଦ୍ଧା ଜଞ୍ଜାଳୀ ଜେନା ଓ ତାଙ୍କର 60ବର୍ଷୀୟ ଭିନ୍ନକ୍ଷମ ପୁଅ ବନମାଳି ଜେନାଙ୍କୁ ପେଟ୍ରୋଲ ଢାଳି ଜିଅନ୍ତା ଜାଳି ଦେଲେ ଦୁର୍ବୃତ୍ତ । ଘଟଣା ପରେ ସାଇଣ୍ଟିଫିକ ଟିମ ସହ ଡଗ ସ୍କ୍ବାଡ ଆରମ୍ଭ କରି ତନାଘନା । ସେପଟେ ଏହି ହତ୍ୟା ଘଟଣା ପରେ 6 ଜଣଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଛି ପୋଲିସ ।
କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ନନ୍ଦିପଦା ଥାନାର କଳିଙ୍ଗା ଗାଁ । ଓରାଳିରୁ ଶାଳଣିଆ ଯିବା ରାସ୍ତାର କଳିଙ୍ଗାଠାରେ ସକାଳୁ କିଛି ସମୟ ପାଇଁ ରାସ୍ତାରୋକ କରିଥିଲେ ଲୋକେ । କାରଣ ଥିଲା ଗାଁରେ ଦୁଇ ଜଣ ଅସହାୟ ମା ଓ ପୁଅଙ୍କୁ ହତ୍ୟା କରିଥିବା ଦୁର୍ବୃତ୍ତଙ୍କ ଗିରଫ ଦାବି । ନିକଟସ୍ଥ ଏକ ଦୋକାନରୁ ଦୁର୍ବୃତ୍ତମାନେ ଚୋରୀ କରୁଥିବା ବେଳେ ସେମାନଙ୍କୁ ଦେଖିଥିଲେ ଏହି ମା' ଓ ପୁଅ । ତେବେ ଏନେଇ ଦୁର୍ବୃତ୍ତମାନେ ଉଭୟ ମା ପୁଅଙ୍କୁ ପେଟ୍ରୋଲ ଢାଳି ଜାଳି ଦେଇଥିବା ସନ୍ଦେହ କରାଯାଉଛି ।
ଘର ଦ୍ବାର ନଥିବାରୁ ମା ଓ ପୁଅ ଏକ ପରିତ୍ୟକ୍ତ ଅଙ୍ଗନୱାଡି କେନ୍ଦ୍ରରେ ଗତ 20 ବର୍ଷ ଧରି ରହୁଥିଲେ । ପୁଅ ବନମାଳି କାମଦାମ କରି ପାରୁ ନଥିବାରୁ 80ବର୍ଷୀୟା ମା ଜଞ୍ଜାଳୀ ମାଗିଯାଚି ଚଳାଉଥିଲେ ଘର । ତେବେ ଏହି ଅସହାୟଙ୍କୁ ନୃଶଂସ ଭାବରେ ହତ୍ୟା କରିଥିବା ଦୁର୍ବୃତ୍ତଙ୍କୁ ଯଥାଶୀଘ୍ର ଗିରଫ କରିବାକୁ ଜୋର ଧରିଛି ଦାବି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ