କେନ୍ଦୁଝର: ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳୁଛି ସ୍ବାଧୀନତାର ଅମୃତ ମହୋତ୍ସବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ସବୁ ଦେଶବାସୀଙ୍କ ଘରେ ଜାତୀୟ ପତାକା ଉଡାଇବାକୁ ଆହ୍ବାନ ଦେବାସହ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ କରିଛନ୍ତି । ତେବେ ଏହି ଅଭିଯାନରେ ସାମିଲ ହେବାସହ ସଫଳ କରିବାକୁ ନିଆରା ପ୍ରୟାସ କରିଛନ୍ତି କେନ୍ଦୁଝରର ଜଣେ ମୋବାଇଲ ଦୋକାନୀ । ତାଙ୍କ ଦୋକାନକୁ ଆସୁଥିବା ପ୍ରତ୍ୟେକ ଗ୍ରାହକଙ୍କୁ ସେ ମାଗଣାରେ ଏକ ତ୍ରିରଙ୍ଗା ପତାକା ଉପହାର ଦେଉଛନ୍ତି । ଏପରି କରି ସେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ରହିଛନ୍ତି ।
ଏଥିସହ ସ୍ବାଧୀନତା ଦିବସ ଅବସରରେ ନିଜଘରେ ଏହି ତ୍ରିରଙ୍ଗା ଉଡାଇବାକୁ ଅନୁରୋଧ କରୁଛନ୍ତି । ଦୋକାନୀଙ୍କର ଏଭଳି ଅଭିନବ ପ୍ରୟାସ ସମସ୍ତଙ୍କ ମନକୁ ଛୁଇଁଛି । ଆଉ ଦିନ କେଇଟା ପରେ ପାଳିତ ହେବ ୭୫ତମ ସ୍ଵାଧୀନତା ଦିବସ । କେନ୍ଦୁଝରର ଏକ ମୋବାଇଲ୍ ଦୋକାନୀ ଏଥିପାଇଁ ଆରମ୍ଭ କରି ଦେଇଛନ୍ତି ପ୍ରସ୍ତୁତି । ଦୋକାନକୁ ଆସୁଥିବା ପ୍ରତ୍ୟେକ ଗ୍ରାହକଙ୍କୁ ସେ ମାଗଣାରେ ଏକ ଜାତୀୟ ପତାକା ଉପହାର ସ୍ୱରୂପ ପ୍ରଦାନ କରୁଛନ୍ତି । ନିଜ ଘରେ ଆସନ୍ତା ୧୩ ତାରିଖରୁ ୧୫ ତାରିଖ ଯାଏଁ ଏହି ଜାତୀୟ ପତାକା ଉଡ଼ାଇବାକୁ ପରାମର୍ଶ ଦେଉଛନ୍ତି ।
ମୋବାଇଲ୍ ସରଞ୍ଜାମ ସହ ମାଗଣାରେ ଜାତୀୟ ପତାକା ପାଇ ଖୁସିବ୍ୟକ୍ତ କରିଛନ୍ତି ଗ୍ରାହକ । ଆଜାଦି କା ଅମୃତ ମହୋତ୍ସବ ଅବସରରେ ପ୍ରଧାନମନ୍ତ୍ରୀଙ୍କର ହର ଘର ତ୍ରିରଙ୍ଗା ଅଭିଯାନକୁ ସଫଳ କରିବାକୁ ଏକ ଛୋଟ ପ୍ରୟାସ କରିଛନ୍ତି ଏହି ଦୋକାନୀ । ପ୍ରତିଟି ଦେସବାସୀଙ୍କ ହୃଦୟରେ ଦେଶ ପ୍ରେମର ବହ୍ନି ପ୍ରଜ୍ବଳିତ ହେବାର ଏହା ଏକ ଛୋଟ ମାଧ୍ୟମ ।
ଲକ୍ଷ୍ୟ ବଡ ହୋଇଥିବାରୁ ଦେଶବାସୀଙ୍କ ଭାଗିଦାରୀ ଓ ସହଭାଗିତାରେ ଏହା ସଫଳ ହୋଇପାରିବ ଜାଣି ସାଧାରଣ ଲୋକେ ଅଭିଯାନରେ ସାମିଲ ହେଉଛନ୍ତି । ହର ଘର ତ୍ରିରଙ୍ଗା ଅଭିଯାନ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଦେଶପ୍ରେମକୁ ଜାଗ୍ରତ କରିବାରେ ନିଶ୍ଚିତ ରୂପେ ସହାୟକ ହୋଇପାରିବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।
ଇଟିଭି ଭାରତ, କେନ୍ଦୁଝର