କେନ୍ଦୁଝର: ଜିଲ୍ଲାରେ ଜଣେ ନାବାଳକକୁ ପରିବାର ଲୋକେ ନିର୍ଯ୍ୟାତନା ଖବର ଚର୍ଚ୍ଚାର ବିଷୟ ହୋଇଛି । ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ସୁନାପେଣ୍ଠ ପଞ୍ଚାୟତର ଛୁଟୁଙ୍ଗ ଗ୍ରାମର ବାପା ମାଆ ଛେଉଣ୍ଡ ନାବାଳକକୁ ତାଙ୍କ ବଡମା ତୁଳସୀ ଦେହୁରୀ ପାଠ ପଢ଼ାଇବାର ପ୍ରତିଶ୍ରୁତି ଦେଇ ନିଜ ଘରେ ରଖିଥିଲେ । ମାତ୍ର ଗତ ୪/୫ ଦିନ ହେବ ନାବାଳକକୁ ବଡମା ତୁଳସୀ ଓ ବଡବାପା ସୁରଥ ଦେହୁରୀ ମାରପିଟ କରୁଥିବା ଅଭିଯୋଗ ହୋଇଛି ।
ସୂଚନା ପାଇ ଜଣେ ଗଣମାଧ୍ୟମ ପ୍ରତିନିଧି ନାବାଳକକୁ ଉଦ୍ଧାର କରି ହରିଚନ୍ଦନପୁର ବିଡ଼ିଓଙ୍କ ପାଖକୁ ଆଣିଥିଲେ । ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀଙ୍କ ସହ ପରାମର୍ଶ କରାଯିବା ପରେ ନାବାଳକର ସ୍ଥାୟୀ ଥଇଥାନ କରାଯିବାକୁ ବ୍ଲକ ପ୍ରଶାସନ ପ୍ରତିଶ୍ରୁତି ଦେଇଛି । ଏଥିସହ ଅସ୍ଥାୟୀ ଭାବେ ଉକ୍ତ ନାବାଳକକୁ ଛୁଟୁଙ୍ଗ ଗ୍ରାମର ସାରଦା ଦେହୁରୀଙ୍କ ଘରେ ରଖାଯାଇଛି ।
ପ୍ରାୟ ୧୦ବର୍ଷ ପୂର୍ବେ ଛୁଟୁଙ୍ଗ ଗ୍ରାମର ଶତୃଘ୍ନ ଦେହୁରୀ ଓ ତାଙ୍କ ପତ୍ନୀ ସାବିତ୍ରୀ ଦେହୁରୀଙ୍କର ମୃତ୍ୟୁ ହୋଇଥିଲା । ଫଳରେ ୧୫ ବର୍ଷର ପୁଅ ଓ ୧୩ ବର୍ଷର ଝିଅ ଅସହାୟ ହୋଇପଡ଼ିଥିଲେ । ଅଜା ମଙ୍ଗରାଜ ଦେହୁରୀ ସେମାନଙ୍କୁ ନେଇ ଲାଳନ ପାଳନ କରୁଥିଲେ ।
କେନ୍ଦୁଝରରୁ ସନ୍ତୋଷ କୁମାର ମାହାପାତ୍ର, ଇଟିଭି ଭାରତ