କେନ୍ଦୁଝର: ମୋବାଇଲ ପାଇଁ ଅଭାବନୀୟ କାଣ୍ଡ । ମୋବାଇଲ ଦେଖିବାକୁ ବଡ ଭଉଣୀ ନ ଦେବାରୁ ସାନଭାଇ କଲା ଆତ୍ମହତ୍ୟା । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପଲାଣିଘାଟିରେ । ମୃତ ନାବାଳକ ହେଲେ କୁସୁମି ଗ୍ରାମର ମାନସ ମହାନ୍ତଙ୍କ ପୁଅ ବୋଲି ଜଣାପଡ଼ିଛି । ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
ସୂଚନା ଅନୁସାରେ, ମୃତ ନାବାଳକଙ୍କ ବାପା ମା କୌଣସି କାମରେ ମୟୂରଭଞ୍ଜର ନିଜ ଗ୍ରାମକୁ ଯାଇଥିଲେ । ଘରେ ଥିଲେ ଭାଇଭଉଣୀ । ବୁଧବାର ରାତିରେ ସାନ ଭାଇ ମୋବାଇଲ ଦେଖିବାକୁ ବଡଭଉଣୀକୁ ମାଗିଥିଲେ । କିନ୍ତୁ ବଡ଼ ଭଉଣୀ ମନା କଲାପରେ ସାନ ଭାଇ ଜିଦି କରିଥିଲା । ପରେ ରାତିରେ ବଡ ଭଉଣୀ ଶୋଇପଡିବା ପରେ ସାନ ଭାଇ ଘର ଓଢଣୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି । ଖବର ପାଇ ଘଟଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ