କେନ୍ଦୁଝର: ନବମ ଶ୍ରେଣୀରେ ପାଠ ପଢୁଛି ବାଦଲ । ଆଶା, ଭଲ ପାଠ ପଢି ବଡ ଡାକ୍ତର ହେବ । ହେଲେ ତାର ଏହି ଆଶାରେ ବାଧକ ସାଜିଛି ହୃତପିଣ୍ଡ ରୋଗ । ଘଟଣାଟି ହେଉଛି କେନ୍ଦୁଝର ଜିଲ୍ଲା ଆଦିବାସୀ ବହୁଳ ଘଟଗାଁ ବ୍ଲକ ଅନ୍ତର୍ଗତ କୁଣ୍ଡାପିଠା ଗ୍ରାମ ରେଙ୍ଗାଳାବାଡି ସାହିର । ରେଙ୍ଗାଳାବାଡି ସାହିର ବାଦଲ ପଇଦାଙ୍କ ନିକଟରେ ହୃତପିଣ୍ଡ ପ୍ରତ୍ୟାରୋପଣ ହୋଇଥିବାବେଳେ ଏବେ ମାସିକ ଔଷଧ ଖର୍ଚ୍ଚ ପିଲାଟିର ଗରୀବ ବାପା ମା’ଙ୍କ ଚିନ୍ତା ପାଲଟିଛି ।
ରେଙ୍ଗାଳାବାଡି ସାହିରେ ବାଦଲ ପଇଦାଙ୍କ ଘର । ତାଙ୍କ ବାପା ବୃତ୍ତିରେ ଦିନ ମଜୁରିଆ । ଖଟିଲେ ମୁଠାଏ ଖାଇବା ମିଳେ । ଗତ କିଛି ଦିନ ତଳେ ବାଦଲ ହୃତପିଣ୍ଡ ରୋଗରେ ପୀଡିତ ହୋଇଥିଲେ । ତାଙ୍କ ଗରୀବ ବାପ ମା’ କ୍ଷମତା ବାହାରେ ଥିଲା ପୁଅର ଚିକିତ୍ସା ଖର୍ଚ୍ଚ ବହନ କରିବା । ଏଣୁ ବାପ ମାଆ ସବୁକିଛି ଭଗବାନଙ୍କ ଉପରେ ଛାଡି ଦେଇଥିଲେ । ସେହି ସମୟରେ ଗାଁର କିଛି ଶିକ୍ଷକ ଓ ସ୍ବେଚ୍ଛାସେବୀ ସଙ୍ଗଠନ ଏହି ଗରୀବ ପରିବାରର ଦୁର୍ଦ୍ଦଶା ଦେଖି ଆଗେଇ ଆସିଥିଲେ ଏବଂ ସେମାନଙ୍କ ସହାୟତାରେ ପିଲାଟିର ପରିବାର ଜିଲ୍ଲା ପ୍ରଶାସନ ନିକଟରେ ପହଞ୍ଚିଥିଲେ ସାହାଯ୍ୟ ଭିକ୍ଷା ଆଶାରେ ।
ପ୍ରଶାସନ ମଧ୍ୟ ସେମାନଙ୍କୁ ନିରାଶ ନ କରି ସହାୟତାର ହାତ ବଢାଇଥିଲେ । ଏହାପରେ ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ବାଦଲର ହୃତପିଣ୍ଡ ପ୍ରତ୍ୟାରୋପଣ କରାଯିବା ପାଇଁ ସ୍ଥିର କରାଗଲା । କୋଲକାତାସ୍ଥିତ ନାରାୟଣୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ତାର ହୃତପିଣ୍ଡ ପ୍ରତ୍ୟାରୋପଣ କରାଗଲା । ସଫଳ ହୃତପିଣ୍ଡ ପ୍ରତ୍ୟାରୋପଣ ପରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ବାରା ଟ୍ବିଟ୍ ମାଧ୍ୟମରେ ଛୋଟ ପିଲାଙ୍କ କ୍ଷେତ୍ରରେ ଏହାର ରାଜ୍ୟର ପ୍ରଥମ ସଫଳ ଘଟଣା ବୋଲି ପ୍ରକାଶ କରାଯାଇଥିଲା ।
ଏବେ ସୁସ୍ଥ ହୋଇ ବାଦଲ ଘରକୁ ଫେରିଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ଘରେ ଔଷଧ ସେବନ କରିବା ସହ ଖାଦ୍ୟ ଗ୍ରହଣ କରୁଛି । କିନ୍ତୁ ଏତିକିରେ ନିରୀହ ପିଲାଟିର ଦୁର୍ଦ୍ଦଶା ଶେଷ ହୋଇନି । ବର୍ତ୍ତମାନ ବାଦଲର ମାସିକ ଔଷଧ ଖର୍ଚ୍ଚ 25 ହଜାର ଟଙ୍କା ବୋଲି ଜଣାପଡିଛି । ଗରିବ ମୂଲ ମଜୁରିଆ ପରିବାର ପାଇଁ ପୁଅର ଔଷଧ ଖର୍ଚ୍ଚ ବୋଝ ସାଜିଛି । ପୁଅର ଚିକିତ୍ସା କ୍ଷେତ୍ରରେ ଜିଲ୍ଲା ପ୍ରଶାସନର ସହାୟତା ପାଇଁ ପରିବାର ଲୋକେ ତାଙ୍କୁ କୃତଜ୍ଞତା ଜଣାଇଥିବା ବେଳେ ଏବେ ଏହି ଔଷଧ ଖର୍ଚ୍ଚ ମଧ୍ୟ ବହନ କରିବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି । ଔଷଧ ଖାଇ ବାଦଲ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ନିଜ ସ୍ବପ୍ନ ପୂରଣ ଦିଗରେ ଅଗ୍ରସର ହେବ ବୋଲି କୁହାଯାଇଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ