କେନ୍ଦୁଝର: ବଦଳିଲା କେନ୍ଦୁଝର ସରକାରୀ ମେଡି଼କାଲ କଲେଜ ଆଣ୍ଡ ହସ୍ପିଟାଲର ନାମ । ଧରଣୀଧର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ନାମରେ ହେଲା ନାମିତ । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପରେ ରାଜ୍ୟପାଳଙ୍କ ଆଦେଶନୁସାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ସଚିବ ନାମକରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଦୀର୍ଘଦିନ ହେଲା ଏହାର ନାମକରଣ ଧରଣୀଧରଙ୍କ ନାମରେ କରିବା ପାଇଁ ଦାବି ହୋଇ ଆସୁଥିଲା । ଧରଣୀଧର ଜଣେ ବିପ୍ଳବୀ ଭାବରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏବେ ତାଙ୍କ ନାମରେ ଏହି ମେଡିକାଲ କଲେଜର ନାମକରଣ ହୋଇଥିବାରୁ ବିଭିନ୍ନ ମହଲରେ ଏହାକୁ ସ୍ବାଗତ କରାଯାଇଛି । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ଆଦିବାସୀ ସଂଗଠନ ।
ଏଥିପାଇଁ ଭୂୟାଁ ସାଂସ୍କୃତିକ ସଂଗଠନ ନେତୃତ୍ୱରେ ଶତାଧିକ ଆଦିବାସୀ ନେତା ଏକ ବିରାଟ ଶୋଭାଯାତ୍ରା କରି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆସିଥିଲେ । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସ୍ଲୋଗାନ ଦେଇଥିଲେ । ଭୂୟାଁ ସାଂସ୍କୃତିକ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଆଦିବାସୀ ନେତା ଓ ବିପ୍ଲବୀଙ୍କୁ ସମ୍ମାନ ପ୍ରଦାନ କରିଥିବାରୁ କୃତଜ୍ଞତା ଜ୍ଞାପନ ପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳ ଆଶିଷ ଠାକରେ ମେଡିକାଲ କଲେଜ ନାମକରଣ କରିବାରେ ସହଯୋଗ କରିଥିବାରୁ ତାଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ ସଂଗଠନର କର୍ମକର୍ତ୍ତା ।
କେନ୍ଦୁଝର ଜିଲ୍ଲାର ଭୂୟାଁ ସର୍ଦାର ଇଂରେଜ ଓ ରାଜା ଶାସନର ଅତ୍ୟାଚାର ବିରୁଦ୍ଧରେ ବିପ୍ଳବ କରି ସଂଗ୍ରାମ କରିଥିଲେ । ଭୂୟାଁ ଏକ ଆଦିବାସୀ ସମ୍ପ୍ରଦାୟ ହୋଇଥିବା ବେଳେ ତାଙ୍କର ଏହି ସଂଗ୍ରାମକୁ ଇଂରେଜମାନଙ୍କ ବିରୋଧରେ ପ୍ରଥମ ଆଦିବାସୀ ମେଳି ଭାବେ ପରିଗଣିତ କରାଯାଇଛି । ଏହି ମେଳି ପାଇଁ ତାଙ୍କୁ ସ୍ୱାଧୀନତା ସଂଗ୍ରାମୀ ଭାବେ ସରକାର ମାନ୍ୟତା ପ୍ରଦାନ କରିଛନ୍ତି । ଏହି ବିପ୍ଲବୀଙ୍କ ନାମରେ କେନ୍ଦୁଝର ଜିଲ୍ଲାର ମୁଖ୍ୟ କଲେଜ ଓ ବହୁ ଅନୁଷ୍ଠାନ ନାମିତ କରାଯାଇଛି । ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଜିଲ୍ଲା ଖଣିଜ ପାଣ୍ଠି ସହଯୋଗରେ କେନ୍ଦୁଝର ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଛି । ଚଳିତ ଶିକ୍ଷା ବର୍ଷରୁ ଏହି କଲେଜରେ ନାମଲେଖା ଆରମ୍ଭ ହୋଇଥିବା ବେଳେ ପାଠ୍ୟକ୍ରମ ମଧ୍ୟ ଆରମ୍ଭ କରାଯାଇଛି ।
ଏହି ମେଡିକାଲ କଲେଜର ନାମ ବିପ୍ଲବୀ ଧରଣୀଧରଙ୍କ ନାମରେ ନାମିତ କରିବା ପାଇଁ ବହୁ ଦିନରୁ ବିଭିନ୍ନ ଆଦିବାସୀ ଓ ବୁଦ୍ଧିଜୀବି ସଂଗଠନ ଗୁଡିକ ପକ୍ଷରୁ ଦାବି ହେଇଆସୁଥିଲା । ଜାନୁଆରୀ ୧୧ ତାରିଖରେ ରାଜ୍ୟ ସରକାର ଏହି ସରକାରୀ ମେଡିକାଲ କଲେଜକୁ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ ନାମରେ ନାମିତ କରିଛନ୍ତି । ଧରଣୀଧରଙ୍କ ନାମରେ ମେଡିକାଲ କଲେଜ ନାମିତ ହେବା ପରେ ଖୁସି ବ୍ୟକ୍ତ କରିଛନ୍ତି ଆଦିବାସୀ ସଂଗଠନ ।
ଆଦିବାସୀ ସଂଗଠନ ଗୁଡ଼ିକ ସହ ବୁଦ୍ଧିଜୀବି ଓ ରାଜନୈତିକ ଦଳ ପକ୍ଷରୁ ମଧ୍ୟ ଖୁସି ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଆଜିର ଏହି ଧନ୍ୟବାଦ ଅର୍ପଣ ଶୋଭାଯାତ୍ରାରେ ପଦ୍ମଶ୍ରୀ ଦୈତାରୀ ନାଏକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଲକ୍ଷ୍ମୀ ନାଏକ, ବାଂଶପାଳ ବ୍ଲକ ଅଧକ୍ଷଙ୍କ ସହ ବହୁ ଆଦିବାସୀ ନେତା ଉପସ୍ଥିତ ଥିଲେ ।
ଇଟିଭି ଭାରତ, କେନ୍ଦୁଝର