କେନ୍ଦୁଝର: ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦ ରଦ୍ଦକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ଦେଶର ବିଭିନ୍ନ ରାଜ୍ଯରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଆଜି କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟରେ ରାଜ୍ୟ କଂଗ୍ରେସ ନିଷ୍ପତି କ୍ରମେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ପୂର୍ବତନ ବିଧାୟକ ଅକ୍ଷୟ କୁମାର ଆଚାର୍ଯ୍ୟ ଏହି ସାମ୍ୱାଦିକ ସମ୍ମିଳନୀକୁ ସମ୍ବୋଧନ କରିଥିବା ବେଳେ ଜିଲ୍ଲା ସଭାପତି ବିପ୍ଲବ ମିଶ୍ର, ରାଜ୍ୟ ସାଧାରଣ ସମ୍ପାଦକ ଆଲୋକ ମିଶ୍ରଙ୍କ ସହ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ । କେନ୍ଦ୍ର ସରକାର ଷଡଯନ୍ତ୍ର ବିରୋଧରେ ବର୍ଷଥିଲା କେନ୍ଦୁଝର କଂଗ୍ରେସ ।
କେନ୍ଦ୍ର ସରକାର ମନମୁଖୀ ଶାସନ କରି ନିଜ ବିରୋଧୀଙ୍କୁ ହଇରାଣ କରିବାକୁ ଏପରି କାର୍ଯ୍ୟ କରିଥିବା କଂଗ୍ରେସ ଅଭିଯୋଗ କରିଛି । ଲୋକସଭା ବାଚସ୍ପତି ରାହୁଲ ଗାନ୍ଧୀଙ୍କ ସଦସ୍ୟତାକୁ ରଦ୍ଦ କରିବା ପରେ ସାରା ଦେଶରେ କଂଗ୍ରେସ ଆକ୍ରମଣାତ୍ମକ ହୋଇଥିବା ଦେଖିବାକୁ ମିଳିଛି । ତେବେ କଂଗ୍ରେସ କହିଛି, "ଯେତେବେଳେ ହାଇକୋର୍ଟ ୩୦ ଦିନ ପାଇଁ ନୋଟିସ ପିରିୟଡ ରଖିଛନ୍ତି, ଯାହା ଜେଲ ଦଣ୍ଡକୁ ମଧ୍ୟ ଖାରଜ କରିପାରନ୍ତି ।
ତେବେ ଏହାରି ମଧ୍ୟରେ କେନ୍ଦ୍ର ସରକାର ଯୋଜନାବଦ୍ଧ ଭାବେ ଲୋକସଭା ସଦସ୍ୟତାକୁ ଅଯୋଗ୍ୟ ଘୋଷଣା କରାଇବା ଏକ ନିନ୍ଦନୀୟ କାର୍ଯ୍ୟ । ଲୋକସଭା ସଚିବାଳୟ ଜଣେ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେ ନାହିଁ । ଏଥିପାଇଁ ରାଷ୍ଟ୍ରପତି, ନିର୍ବାଚନ ଆୟୋଗଙ୍କ ପରାମର୍ଶ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ପଡିଥାଏ । ଯାହା କେନ୍ଦ୍ର ସରକାର କରିନାହିଁ । ତେବେ ଏହି ପରିପ୍ରେକ୍ଷୀରେ କିଭଳି ଭାବେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ଖାରଜ କରିଛନ୍ତି ଲୋକସଭା ସଚିବାଳୟ ତାହା ଏକ ପ୍ରଶ୍ନବାଚୀ, କାହାର ଇସାରାରେ ଗଣତନ୍ତ୍ର କାର୍ଯ୍ଯ କରିଛି ବୋଲି ପ୍ରଶ୍ନ କରିଛି କଂଗ୍ରେସ ।
୨୦୧୯ ମସିହାରେ କର୍ଣ୍ଣାଟକର ଏକ ସଭାରେ ମୋଦି ସାଙ୍ଗିଆକୁ ନେଇ ଏକ ମନ୍ତବ୍ୟ ଦେଇଥିଲେ ରାହୁଲ ଗାନ୍ଧୀ । ଏନେଇ ସୁରଟ କୋର୍ଟରେ ବିଜେପି ବିଧାୟକ କେସ ଦାୟର କରିଥିଲେ । ରାହୁଲ ଗାନ୍ଧୀ ଆଦାନି ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କ ନେଇ ଲୋକସଭାରେ ପ୍ରଶ୍ନ ପଚାରିଥିଲେ । କିନ୍ତୁ ଏହି ସମୟରେ କୋର୍ଟ ମାମଲା ଉପରେ ଲଗାଇଥିବା ରହିତାଦେଶ ଉଠାଇ ଦେବାରୁ ରାହୁଲଙ୍କୁ ଦୁଇ ବର୍ଷ ଜେଲ୍ ଦଣ୍ଡ ହୋଇଥିଲା । ଏହି ନିର୍ଦ୍ଦେଶ ପରେ ରାହୁଲ ସଭ୍ୟପଦ ହରାଇଥିଲେ । ଏହାକୁ ନେଇ କଂଗ୍ରେସ ବିଜେପିର ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଛି । ଗଣତନ୍ତ୍ରର ହତ୍ୟା କରାଯାଇ ଏଭଳି ଚରମ ନିଷ୍ପତ୍ତି ନେଇଥିବା କଂଗ୍ରେସ ଅଭିଯୋଗ କରିଛି । ସହରରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ବିରୋଧ ପଦର୍ଶନ ଆରମ୍ଭ କରିଛି କଂଗ୍ରେସ ।
ଇଟିଭି ଭାରତ, କେନ୍ଦୁଝର