କେନ୍ଦୁଝର: ପୂରଣ ହେଲା ଦୀର୍ଘ ଦିନର ସ୍ବପ୍ନ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆରମ୍ଭ ହେଲା କୋର୍ଟ । ଘର ପାଖରେ ତ୍ବରିତ ନ୍ୟାୟ ପାଇବେ ତେଲକୋଇବାସୀ । କେନ୍ଦୁଝର ଜିଲ୍ଲା ତେଲକୋଇରେ ଆଜି(ଗୁରୁବାର) ଉଦଘାଟିତ ହୋଇଛି ଏକ JMFC କୋର୍ଟ । ହାଇକୋର୍ଟର ମୁଖ୍ୟ ବିଚାରପତି ଏସ. ମୁରଲିଧରଙ୍କ ଦ୍ବାରା ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟର ଉଦଘାଟନ କରାଯାଇଛି ।
ନୂତନ କୋର୍ଟ ପାଇଁ ନୂତନ ଗୃହ ନିର୍ମାଣ ହୋଇନଥିବାବେଳେ ତେଲକୋଇ ତହସିଲ ପରିସରରେ JMFC କୋର୍ଟର କାର୍ଯ୍ୟାଳୟ ପ୍ରାରମ୍ଭିକ ଭାବେ କାର୍ଯ୍ୟ କରିବ ।
ସୂଚନାଯୋଗ୍ୟ, ନ୍ୟାୟ ପାଇବା ପାଇଁ ତେଲକୋଇ ଅଞ୍ଚଳବାସୀଙ୍କୁ ୧୦୦ କିଲୋମିଟରୁ ଅଧିକ ଦୂର କେନ୍ଦୁଝର ସହରକୁ ଯିବାକୁ ପଡୁଥିଲା । ଯାହାଫଳରେ ଲୋକେ ନାନା ହଇରାଣ ହେଉଥିଲେ ଏବଂ ଦୀର୍ଘ ଦିନରୁ ତେଲକୋଇରେ ଏକ କୋର୍ଟ ପ୍ରତିଷ୍ଠା କରିବା ପାଇଁ ଦାବି କରିଆସୁଥିଲେ । ଶେଷରେ ଆଜି JMFC କୋର୍ଟର ଉଦଘାଟନ କରାଯାଇଛି । ଏନେଇ ଅଞ୍ଚଳବାସୀ ବେଶ୍ ଖୁସି ପ୍ରକଟ କରିଛନ୍ତି ।
ଏହି ଉଦଘାଟନୀ ଉତ୍ସବରେ ବିଚାରପତି, ଜିଲ୍ଲା ଓକିଲ ସଙ୍ଘର କର୍ମକର୍ତ୍ତା, ଅଧିବକ୍ତା ତଥା ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ