ଚୀନରେ ଆତଙ୍କ ଖେଳାଇଥିବା ଏଚ୍ଏମ୍ପିଭି (ହ୍ୟୁମାନ ମେଟାନ୍ୟୁମୋଭାଇରସ) ଏବେ ଭାରତରେ ଏଣ୍ଟ୍ରି ମାରିଛି । ଦେଶରେ 5ଟି ମାମଲା ସାମ୍ନାକୁ ଆସିବା ପରେ ଚାରିଆଡେ ଖେଳାଯାଇଛି ଭୟର ବାତାବରଣ । କୋଭିଡ ମହାମାରୀ ଭଳି ପୁଣିଥରେ ଆଗକୁ ଲକଡାଉନ ଲାଗୁ ହେବ କି ବୋଲି ଲୋକମାନେ ଆଶଙ୍କା କରୁଛନ୍ତି । ସେପଟେ ଦେଶରେ ଏଚ୍ଏମ୍ପିଭି ଚିହ୍ନଟ ପରେ ଏହାକୁ ରୋକିବାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସହ ରାଜ୍ୟ ସରକାରଙ୍କ ମଧ୍ୟ ଚିନ୍ତା ବଢିଛି । ତେବେ ଏହି ଭାଇରସ୍ କେତେ ଘାତକ ? ଏହାର ଲକ୍ଷଣ କ'ଣ ? କିପରି ଏହି ଭୂତାଣଠାରୁ ସୁରକ୍ଷିତ ରହିବେ ସେନେଇ ପରାମର୍ଶ ଦେଇଛନ୍ତି ଡାକ୍ତର ।
ପଲନୋମାରି ମେଡିସିନ ବିଭାଗର ସିନିୟର କନସଲଟାଣ୍ଟ ଡଃ ପ୍ରଦୀପ ବଜାଡଙ୍କ କହିବା କଥା, ବର୍ତ୍ତମାନ ସମୟରେ ନୂଆ ଏଚ୍ଏମ୍ପିଭି ଭାଇରସକୁ ନେଇ ଭୟ କରିବାର ଆବଶ୍ୟକତା ନାହିଁ । ଏବେ ଏହି ଭାଇରସ ସଂକ୍ରମଣର ଲକ୍ଷଣ, ନିରାକରଣ ଓ ସାବଧାନତା ପ୍ରତି ସଚେତନା ହେବା ଜରୁରୀ । ଯଦି କିଛି ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ ।
ଏଚ୍ଏମ୍ପିଭି ଭାଇରସ କିଛି ନୂଆ ଭାଇରସ ନୁହେଁ ବରଂ ଗତ 25ରୁ 30 ବର୍ଷ ହେଲା ବିଶ୍ବର ବିଭିନ୍ନ ସ୍ଥାନରେ ଚିହ୍ନଟ ହୋଇସାରିଛି । ହେଲେ ଏହି ଭାଇରସ ଲଗାତାର ନିଜର ପ୍ରକାର ବଦଳାଇଥାଏ ଏବଂ ନୂଆ ପ୍ରକାରରେ ସାମ୍ନାକୁ ଆସିଥାଏ । ଯେପରି ନୂଆ ଟେକ୍ନୋଲୋଜି ପରେ କୌଣସି ଗ୍ୟାଜେଟ ଅପଡେଟ ହୋଇଥାଏ ଠିକ୍ ସେହିଭଳି ଏହି ଭାଇରସ ମଧ୍ୟ ନିଜକୁ ଅପଡେଟ କରିଥାଏ । ବେଳେବେଳେ ଏହି ଭାଇରସ ଅତି ଘାତକ ରୂପରେ ସାମ୍ନାକୁ ଆସିଥାଏ ଯାହା ପ୍ରାଣଘାତି ହୋଇଥାଏ ।
HMPV ସଂକ୍ରମଣ ମାମଲାରେ ଥଣ୍ଡା-ଜ୍ବର ହୋଇ ନିମୋନିଆରେ ବଦଳିପାରେ । ଯାହା ଲୋକଙ୍କୁ ଅଧିକ ପ୍ରଭାବିତ କରିଥାଏ । ଏହି ଭାଇରସ ଛୋଟ ପିଲା ଓ ବୟସ୍କ ଲୋକଙ୍କୁ ଅଧିକ ଆକ୍ରାନ୍ତ କରୁଥିବା ଦେଖାଯାଉଛି । ଏହାବ୍ୟତୀତ କୌଣସି ବ୍ୟକ୍ତିଙ୍କୁ ଗମ୍ଭୀର ରୋଗ ହୋଇଥିଲେ କିମ୍ବା ସର୍ଜରୀ ହୋଇଥିଲେ ତାଙ୍କୁ ମଧ୍ୟ ଏହି ଭାଇରସ ସଂକ୍ରମଣ ବିପଦ ଅଧିକ ରହୁଛି । ଏହାଠୁ ସୁରକ୍ଷିତ ରଖିବାକୁ ହେଲେ ଡାକ୍ତର ସତର୍କତା ଓ ସ୍ବଚ୍ଛତା ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି । ଯେପରି କୋଭିଡ ସମୟରେ ମାସ୍କ ପିନ୍ଧିବା, ଥଣ୍ଡା-ଜ୍ବର ପୀଡିତଙ୍କଠାରୁ ଦୂରେଇ ରହିବା, ନିଜକୁ ସଫାସୁତୁରା ରଖିବା ଭଳି ସାବାଧନତା ଅବଲମ୍ବନ କରୁଥିଲେ ଏହି କ୍ଷେତ୍ରରେ ମଧ୍ୟ ସେପରି ସାବଧାନତା ଜରୁରୀ ବୋଲି କହିଛନ୍ତି ।
କିପରି ବ୍ୟାପେ HMPV ଭାଇରସ୍ ?
- କାଶ, ଛିଙ୍କ, ଛେପ ଦ୍ବାରା ଏଚ୍ଏମ୍ପିଭି ବ୍ୟାପିଥାଏ
- ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଲେ ବ୍ୟାପେ
- ଆକ୍ରାନ୍ତ ବ୍ୟକ୍ତିଙ୍କ ରୁମାଲ କିମ୍ବା କୌଣସି ଜିନିଷ ବ୍ୟବହାର କଲେ
- ଆକ୍ରାନ୍ତଙ୍କୁ ଛୁଇଁବା କିମ୍ବା ହାତ ମିଶାଇବା ଦ୍ବାରା ବ୍ୟାପେ
HMPV ଭାଇରସ୍ ଲକ୍ଷଣ:
- ଜ୍ବର ହେବା
- ଗଳାରେ ଖସ୍ଖସ୍
- ଥଣ୍ଡା-କାଶ
- ଶ୍ବାସ ସମ୍ବନ୍ଧୀୟ ସମସ୍ୟା
- ସଂକ୍ରମଣ ବଢିଲେ ନିମୋନିଆ କିମ୍ବା ବ୍ରୋଙ୍କାଇଟିସ୍ ବିପଦ
କିପରି ଭାଇରସରୁ ବର୍ତ୍ତିବେ ?
- ଥଣ୍ଡା-ଜ୍ବର ହେଲେ ମାସ୍କ ବ୍ୟବହାର କରନ୍ତୁ
- ଥଣ୍ଡା-ଜ୍ବର ପୀଡିତଙ୍କ ଠାରୁ ଦୂରେଇ ରୁହନ୍ତୁ
- ଛିଙ୍କିବା, କାଶିବା ସମୟରେ ମୁହଁରେ ରୁମାଲ କିମ୍ବା ସଫା କପଡା ବ୍ୟବହାର କରନ୍ତୁ
- ଖାଇବା ପରେ ଓ ବାହାରୁ ଫେରିବା ପରେ ଭଲ ଭାବେ ସଫାସୁତୁରା ହୁଅନ୍ତୁ
- ସାବୁନରେ ଅତିକମରେ 20 ସେକେଣ୍ଡ ହାତ ଧୁଅନ୍ତୁ
- ହାତ ନ ଧୋଇ ନାକ, ଆଖି, ପାଟିରେ ହାତ ମାରନ୍ତୁ ନାହିଁ
- ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ ବା ସ୍ବାସ୍ଥ୍ୟକର ଭୋଜନ କରନ୍ତୁ
ଏହା ମଧ୍ୟ ପଢନ୍ତୁ: ଭାରତରେ HMPVର ଏଣ୍ଟ୍ରି, ଗୋଟିଏ ଦିନରେ 3 ପଜିଟିଭ ଚିହ୍ନଟ - HMPV CASES IN KARNATAKA
ଏହା ମଧ୍ୟ ପଢନ୍ତୁ: ଏଣିକି ବିନା ନିଡିଲ୍ରେ ହେବ ବ୍ଲଡସୁଗାର ଟେଷ୍ଟ - NO NEEDLES FOR BLOOD SUGAR TEST