ଆନନ୍ଦପୁର : ନ୍ୟାୟ ପାଇଁ ବର୍ଷାରେ ଭିଜିଭିଜି ୧୫ କିଲୋମିଟର ଚାଲିଲେ ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଖଡିପଳ ଗାଁରେ । ଏହି ଗାଁର ଜଣେ ନାବାଳକଙ୍କ ମୃତଦେହ ଆମ୍ବତୋଟାରୁ ମିଳିବା ପରେ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ହାତବାନ୍ଧି ବସିଛି । ନାବାଳକକୁ ହତ୍ୟା କରାଯାଇଥିବା ପାରିପାର୍ଶ୍ବିକ ଅବସ୍ଥାରୁ ଜଣାପଡୁଥିବାବେଳେ ପୋଲିସ୍ ନୀରବଦ୍ରଷ୍ଟା ସାଜିଛି । ଯାହାକୁ ନେଇ ତାତିଛନ୍ତି ଗାଁର ମହିଳାମାନେ ।
ଉପରୋକ୍ତ ଗାଁରେ ଭଉଣୀଘରେ ରହି ପାଠପଢୁଥିବା ନାବାଳକ ଜିତେନ୍ଦ୍ର ନାୟକଙ୍କ ମୃତ୍ୟୁକୁ ପୋଲିସ ଅପମୃତ୍ୟୁ ମାମଲା କହୁଥିବାବେଳେ ପରିବାର ଲୋକେ ଓ ଗ୍ରାମବାସୀ ଏହାକୁ ପ୍ରେମ ଜନିତ ହତ୍ୟା ବୋଲି ଅଭିଯୋଗ କରିଛନ୍ତି । ପୋଲିସର ନୀରବତା ବିରୋଧରେ ଗାଁର ଶତାଧିକ ମହିଳା ଆନନ୍ଦପୁର ଥାନାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତୁରନ୍ତ ଏ ଦିଗରେ ଉପଯୁକ୍ତ ତଦନ୍ତ କରି ଜିତେନ୍ଦ୍ର ମୃତ୍ୟୁର ରହସ୍ୟ ଲୋକଲୋଚନକୁ ଆଣିବାକୁ ଦାବି କରିଛନ୍ତି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ