କେନ୍ଦୁଝର: ଷ୍ଟ୍ରେଚରକୁ କାନ୍ଧରେ ବୋହି ରୋଗୀଙ୍କୁ ଆମ୍ବୁଲାନ୍ସ ନିକଟକୁ ନେଲେ ସ୍ବାସ୍ଥ୍ୟ କର୍ମୀ । କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ହାତିକୁଚା ଗ୍ରାମର ବନ୍ଧ ସାହିର ଘଟଣା । ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଗ୍ରାମର ଅର୍ଜୁନ ମୁଣ୍ଡାଙ୍କ ସ୍ତ୍ରୀ ନନ୍ଦିନୀ ଗତ ୧୧ ତାରିଖ ଦିନ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ଜନ୍ମ ପରେ ନନ୍ଦିନୀଙ୍କୁ ଅର୍ଜୁନ ନିଜ ଘରକୁ ନେଇ ଆସିଥିଲେ । କିନ୍ତୁ ଘରକୁ ଆସିବା ପରେ ସେ ମାନସିକ ଭାରସାମ୍ୟ ହରାଇ ଜନ୍ମିତ ଶିଶୁକୁ ଅବହେଳା କରିବା ସହ ସ୍ବାମୀଙ୍କ ସହ ଝଗଡା କରି ଅସୁସ୍ଥ ହୋଇ ପଡିଥିଲେ । ଏନେଇ ଅର୍ଜୁନ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ।
ମାତ୍ର ଗ୍ରାମର ରାସ୍ତ ଖରାପ ଥିବାରୁ ଘର ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲା ୧୦୮ ଆମ୍ବୁଲାନ୍ସ । ଫଳରେ ଅସୁସ୍ଥ ନନ୍ଦିନୀଙ୍କୁ ଷ୍ଟେଚର ସାହାଯ୍ୟରେ ଆଶା ଓ ସ୍ବାସ୍ଥ୍ୟକର୍ମୀ କାନ୍ଧରେ ବୋହି ଘର ପାଖରୁ ଏକ କିଲୋମିଟର ଥିବା ଆମ୍ବୁଲାନ୍ସ ନିକଟକୁ ନେଇଥିଲେ । ପରେ ତାଙ୍କୁ ନିକଟସ୍ଥ ହରିଚନ୍ଦନପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ପଠେଇ ଦିଆଯାଇଥିଲା । ଏହି ଭିଡ଼ିଓ ଭାଇରଲ ହେବା ପରେ ଉକ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଶଂସା କରାଯାଇଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ