କେନ୍ଦୁଝର: ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରି ଘରେ ଟାଙ୍ଗୀ ଦେଇଥିବା ଅଭିଯୋଗ ହୋଇଛି । କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ବଡ଼ କାଳିମାଟି ଗ୍ରାମରେ ଏପରି ଘଟଣା ଘଟିଛି । ପୂର୍ବରୁ ବାପା ମାଙ୍କୁ ହରାଇ ଏକାକି ରହୁଥିବା ସ୍ଥାନୀୟ ଜଣେ ନାବାଳିକାର ମୃତଦେହ ଘରୁ ଝୁଲନ୍ତା ଅବସ୍ଥାରେ ଠାବ ହେବା ପରେ ପାରିପାର୍ଶ୍ବିକ ସ୍ଥିତିରୁ ପ୍ରଥମେ ଦୁଷ୍କର୍ମ ଓ ପରେ ହତ୍ୟାକାଣ୍ଡ ବୋଲି ପଡୋଶୀ ଅଭିଯୋଗ କରିଛନ୍ତି ।
ସୂଚନା ଅନୁସାରେ, କିଛି ବର୍ଷ ତଳେ ନିଜ ବାପା ମା’ଙ୍କୁ ହରାଇଥିବା ଏହି ଆଦିବାସୀ ନାବାଳିକାଜଣଙ୍କ ବାହାରେ ମୁଲ ମଜୁରୀ କରି ଜୀବିକା ଉପାର୍ଜନ କରି ଆସୁଥିଲେ । କିନ୍ତୁ ଗତକାଲି ନାବାଳିକା ଜଣଙ୍କର ମୃତଦେହ ଘରେ ଝୁଲନ୍ତା ଅବସ୍ଥାରେ ଠାବ କରିଥିଲେ ପଡୋଶୀ ।ଏନେଇ ଥାନାକୁ ଅବଗତ କରାଯିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।
ନାବାଳିକା ଜଣଙ୍କ ଏକାକି ରହୁଥିବାବେଳେ ଏହାର ସୁଯୋଗ ନେଇ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଘରେ ପଶି ଦୁଷ୍କର୍ମ କରି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବା ପାଇଁ ଘରେ ଟାଙ୍ଗୀ ଦେଇଥିବା ଅଭିଯୋଗ କରିଛନ୍ତି ପଡୋଶୀ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ