କେନ୍ଦୁଝର: ଶସ୍ୟ, ଶ୍ୟାମଳାରେ ଭରା ଏ ଧରା । କୁହାଯାଏ ପ୍ରକୃତରେ ସୁନ୍ଦରୀ ହେଉଛି ପ୍ରକୃତି ରାଣୀ, ଯାହାକୁ ଦେଖିଲେ ଆଖି ଲାଖିଯାଏ । ଆଉଥରେ ଦେଖିବାକୁ ଇଚ୍ଛା ହୁଏ, ପୁଣି କେତେବେଳେ ତା ସୌନ୍ଦର୍ଯ୍ୟରେ ମନ୍ତ୍ରମୁଗ୍ଧ ହୋଇଉଠେ ମନ । ବୋଧହୁଏ ସେଥିପାଇଁ କବିବର ରାଧାନାଥ ରାୟଙ୍କ ଲେଖନୀରୁ ଝରିପଡିଥିଲା 'ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ' । ମାତ୍ର ବର୍ତ୍ତମାନ ମନୁଷ୍ୟ ସମାଜ ତା'ର ନୀହିତ ସ୍ବାର୍ଥ ହାସଲ ଉଦ୍ଦେଶ୍ୟରେ ପ୍ରକୃତିକୁ ନଷ୍ଟ କରିଦେଉଛି । ଜଙ୍ଗଲ ଧ୍ୱଂସ ହେବା ଫଳରେ ପରିବେଶ ପ୍ରଦୂଷଣ ସହ ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ ହେବାରେ ଲାଗିଛି ।
ତେବେ ଚଳିତ ବର୍ଷ ରାଜ୍ୟର ଜଙ୍ଗଲ ଗୁଡିକରେ ସର୍ବାଧିକ ଅଗ୍ନିକାଣ୍ଡ ଘଟିଥିବା ଆକଳନ କରାଯାଇଛି । ଫଳରେ ଶହଶହ ଏକର ଜଙ୍ଗଲ ନଷ୍ଟ ହେବା ସହ ହଜାର ହଜାର ଜୀବଜନ୍ତୁଙ୍କ ପ୍ରାଣହାନୀ ଘଟିଛି । ଏଥିରୁ କେନ୍ଦୁଝର ବନଖଣ୍ଡ ମଧ୍ୟ ବାଦ୍ ପଡିନାହିଁ । ଚଳିତ ବର୍ଷ ଜିଲ୍ଲା ବନଖଣ୍ଡ ଅନ୍ତର୍ଗତ ବହୁ ଜଙ୍ଗଲ ଅଞ୍ଚଳରେ ନିଆଁ ଲାଗିଥିଲା । ଜଙ୍ଗଲ ନିଆଁର କାରଣ ମନୁଷ୍ୟକୃତ୍ୟ ହେଉ ଅବା ପ୍ରାକୃତିକ ଏହା ପରିବେଶବିତଙ୍କୁ ବେଶ୍ ବ୍ୟଥିତ କରିଥିଲା । ଅନ୍ୟପଟେ ଏହି ଜଙ୍ଗଲ ନିଆଁ ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ ବୋଲି ପରିବେଶବିତ୍ ମତବ୍ୟକ୍ତ କରିଛନ୍ତି । ଜଙ୍ଗଲ କ୍ଷୟ ଦ୍ବାରା ପରିବେଶ ତା'ର ସନ୍ତୁଳନ ହରାଉଛି । ଫଳରେ ବର୍ଷା ଏବଂ ଖରାର କୌଣସି ତାରତମ୍ୟ ରହୁନାହିଁ । ବର୍ଷା ଦିନେ ଅଧିକ ବର୍ଷା ଏବଂ ଖରା ଦିନେ ଅଧିକ ଖରା ହେଉଛି, ଯାହା ପ୍ରାଣୀଜଗତକୁ ଅସ୍ତବ୍ୟସ୍ତ କରିଦେଉଛି ବୋଲି ପରିବେଶବିତ୍ ମତବ୍ୟକ୍ତ କରିଛନ୍ତି ।
ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା କେନ୍ଦୁଝର ବନଖଣ୍ଡ ଅଧିକାରୀ ସ୍ବୟଂ ମଲ୍ଲିକ କହିଛନ୍ତି । ଏଥିସହ ଯେଉଁବ୍ୟକ୍ତି ଜଙ୍ଗଲରେ ନିଆଁ ଲଗାଉଥିବାର ଦେଖାଯାଇଛି ସେମାନଙ୍କୁ ଗିରଫ କରାଯାଇଛି । ଆଗାମୀ ଦିନରେ ଏହି ଜଙ୍ଗଲ ନିଆଁକୁ କିପରି ରୋକାଯାଇ ପରିବେଶ ପ୍ରଦୃଷଣ ନିୟନ୍ତ୍ରଣ କରାଯାଇ ପାରିବ ସେନେଇ ଜଙ୍ଗଲ କମିଟି ମାଧ୍ୟମରେ ସଚେତନତା ଅଭିଯାନ କରାଯିବ ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମାହାପାତ୍ର, ଇଟିଭି ଭାରତ