କେନ୍ଦୁଝର: ଦିନକୁ ଦିନ ରାଜ୍ୟରେ କୋରୋନା ମହାମାରୀରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିଲେ ବି କୋଭିଡ ସମ୍ପୂର୍ଣ୍ଣ ଆୟତ୍ତ ହୋଇପାରିନାହିଁ । ଏହାକୁ ନେଇ ରାଜ୍ୟ ସରକାର ସତର୍କ ରହିଥିବାବେଳେ କେନ୍ଦୁଝର ଜିଲ୍ଲା ପ୍ରଶାସନ ମଧ୍ୟ ସଜାଗ ରହିଛି । ତେବେ କୋରୋନାର ଦ୍ବିତୀୟ ପ୍ରବାହକୁ ଦେଖି ଚିନ୍ତାରେ ପ୍ରଶାସନ । ଯାହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଆଗାମୀ ଦୁଇ ମାସ ପାଇଁ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରିଣୀଙ୍କ ମନ୍ଦିର ବନ୍ଦ ସହ ମନ୍ଦିର ନଖୋଲିବାକୁ ନିଷ୍ପତ୍ତି ନେଇଛି ।
ଏନେଇ ସୂଚନା ଦେଇଛନ୍ତି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ । ଏହାସହ ଆଗକୁ ନୂଆବର୍ଷ ଆସୁଛି । ଆଗାମୀ ଚାରିମାସ ଶୀତଋତୁର ପ୍ରଭାବ ସାରା ଦେଶରେ ଅନୁଭୁତ ହେବ । ଏହି ଶୀତ ଋତୁରେ କୋରୋନା ସଂକ୍ରମଣର ବୃଦ୍ଧି ଆଶଙ୍କା କରିଛି ପ୍ରଶାସନ । ତେଣୁ ଏହାକୁ ଦେଖି ଲକଡାଉନ ସମୟରୁ ଯେଉଁ ମନ୍ଦିର ପ୍ରବେଶ ଉପରେ ରୋକ ଲଗାଇଥିଲା ତାହା ଉପରେ ଆହୁରି 2 ମାସ ବଳବତ୍ତର ରଖିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।
ତେଣୁ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରିଣୀଙ୍କ ମନ୍ଦିର ପ୍ରବେଶ ନେଇ ଜିଲ୍ଲା ପ୍ରଶାସନ ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ନଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସେହିପରି କାଳିପୂଜା ଓ ଏହାସହ ସହରରେ ଅନୁଷ୍ଠିତ ମେଳାକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ