କେନ୍ଦୁଝର: ଜିଲ୍ଲାସ୍ଥିତ ତେଲକୋଇ ରେଞ୍ଜ ଜଗମୋହନପୁର ଫରେଷ୍ଟ ବିଟ ଅଞ୍ଚଳରେ ଦନ୍ତାହାତୀ ଉପଦ୍ରବ । ଘରେ ପଶି ଧାନ ଖାଇବା ସହ ଭଙ୍ଗାରୁଜା କରିଛନ୍ତି ହାତୀପଲ । ଏନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ ଦୋବଲାପାଳ ପଞ୍ଚାୟତର ବାଶଂପାଳ ଗାଁ ଜୁଆଙ୍ଗ ସାହିରେ ଦନ୍ତାହାତୀ ଉପଦ୍ରବ ଚଳାଇଛି । ଗତକାଲି(ସୋମବାର) ବିଳମ୍ବିତ ରାତିରେ ଗାଁରେ ପଶି ସୁକୁମାରୀ ଜୁଆଙ୍ଗଙ୍କ ଘର ଭାଙ୍ଗାରୁଜା କରିଛି । ସୁକୁମାରୀ ଜୁଆଙ୍ଗ ୪ ପିଲାଙ୍କ ସହିତ ଘରେ ଶୋଇ ଥିବାବେଳେ ଦନ୍ତା ଘରେ ପଶିଥିଲା । ଫଳରେ ଭୟରେ ପିଲାଛୁଆଙ୍କୁ ଧରି ସୁକୁମାରୀ ପଡିଶା ଘରକୁ ଲୁଚି ପଳାଇଥିଲେ । ଏହାପରେ ଦନ୍ତା ଘରଭାଙ୍ଗି ୧୫ ବସ୍ତା ଧାନ ଖାଇବା ସହ ଚାଉଳ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ କରିଦେଇଛି ।
ଏନେଇ ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ ମଧ୍ୟ ବନବିଭାଗ ଫୋନ ଉଠାଇ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସମ୍ପୃକ୍ତ ଅଞ୍ଚଳରେ ବାରମ୍ବାର ହାତୀ ଉପଦ୍ରବ ଜାରି ରହିଥିଲେ ମଧ୍ୟ ବନବିଭାଗ କୌଣସି ପଦକ୍ଷେପ ନେଉ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସ୍ଥାନୀୟବାସୀ ଦାବି କରିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ