କେନ୍ଦୁଝର: ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନର ଗୁରୁବେଡ଼ା ଗାଁ ପାଖ ବୈତରଣୀ (ଖ) ସଂରକ୍ଷିତ ଜଙ୍ଗଲରେ ୨ ହାତୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛି ବନବିଭାଗ । ସୋମବାର ବନ ବିଭାଗର ବରିଷ୍ଠ ଅଧିକାରୀ, ଆଡିସନାଲ ପିସିସିଏଫ (ୱାଇଲ୍ଡ ଲାଇଫ )ଶଶୀ ପଲ୍, ରାଉରକେଲା ଆରସିସିଏଫ ଭଞ୍ଜ କିଶୋର ସ୍ୱାଇଁ, କେନ୍ଦୁଝର ଡିଏଫଓ ସନ୍ତୋଷ ଯୋଶୀ ଘଟଣାସ୍ଥଳ ପରିଦର୍ଶନ କରିବା ସହ ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଥିଲେ ।
ବନ୍ୟଜନ୍ତୁ ଶିକାରୀଙ୍କ ଦ୍ଵାରା ବିଛାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଉଭୟ ହାତୀଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପ୍ରାଣୀ ଚିକିତ୍ସକ ଘଟଣାସ୍ଥଳରେ ମୃତ ହାତୀଙ୍କ ବ୍ୟବଚ୍ଛେଦ କରିଛନ୍ତି । ରବିବାର ଅପରାହ୍ନରେ ବନ ବିଭାଗର ପାଟ୍ରୋଲିଂ ଟିମ ୨ ହାତୀଙ୍କ ମୃତଦେହକୁ ଠାବ କରିଥିଲା । ଯୋଡ଼ା ଥାନା ଗୁରୁବେଡ଼ା ଛକ ଠାରୁ ଅଧା କିଲୋମିଟର ଦୂର ବୈତରଣୀ (ଖ)ସଂରକ୍ଷିତ ଜଙ୍ଗଲରେ ଉଭୟ ହାତୀଙ୍କ ମୃତଦେହ ପଡ଼ି ରହିଥିଲା । ଅଣ୍ଡିରା ହାତୀର ଶୁଣ୍ଢରେ ଏକ କ୍ଷତଚିହ୍ନ ରହିଥିବା ବେଳେ ଦାନ୍ତକୁ ଦୁର୍ବୃତ୍ତ କାଟି ନେଇଯାଇଥିବା ଜଣାପଡିଥିଲା । ସେହିପରି ହାତୀର ମୃତଦେହ ନିକଟରୁ କିଛି ରଡ୍ ବାଇଣ୍ଡିଙ୍ଗ ତାର ଓ ଇଂସୁଲେଟର ମିଳିଥିବା ବନବିଭାଗ କହିଛି ।
ହାତୀଙ୍କ ମୃତଦେହ ପଡିଥିବା ସ୍ଥାନ ଠାରୁ ୫୦ ମିଟର ଦୂର ରାସ୍ତାକଡରେ ଯାଇଥିବା ୧୧କେଭି ବିଦ୍ୟୁତ ଖୁଣ୍ଟର ତାର ସହ ବାଇଣ୍ଡିଙ୍ଗ ତାରକୁ ସଂଯୋଗ କରି ଶିକାର ପାଇଁ ଜାଲ ପକାଯାଇଥିଲା । ଯାହା ଫଳରେ ହାତୀ ସେହି ବାଟଦେଇ ଯିବାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ବନ ବିଭାଗ ଅନୁମାନ କରୁଛି । ତେବେ ଉଭୟ ହାତୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହତ୍ୟା କରିଥିବା ନେଇ ସନ୍ଦେହ ଦୃଢ଼ୀଭୂତ ହୋଇଛି । ମୃତ ମାଈ ହାତୀର ବୟସ ପାଖାପାଖି ୩୦ ଓ ଅଣ୍ଡିରା ହାତୀର ବୟସ ପାଖାପାଖି ୮ ବର୍ଷ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି ।
ଏହି ହାତୀ ଦୁହିଁଙ୍କ ଅସ୍ବାଭାବିକ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠେଇଛନ୍ତି ସମାଜସେବୀ । ଏହି ରେଞ୍ଜ ଅଧୀନରେ ଦୁଇ ମାସ ମଧ୍ୟରେ ୪ଟି ହାତୀକୁ ନିର୍ମମ ହତ୍ୟା କରାଯାଇଥିଲେ ମଧ୍ୟ ଜଙ୍ଗଲ ବିଭାଗ ନୀରବଦ୍ରଷ୍ଟା ହୋଇ ବସିଛି । ଏହା ସହ ହାତୀର ଦାନ୍ତ ଗୁଡିକୁ ମଧ୍ୟ ନେଇଯାଇଛନ୍ତି ଦୁର୍ବୃତ୍ତ । ବିଭାଗ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଇ ତଳ ତଳିଆ କର୍ମଚାରୀଙ୍କୁ ସସପେଣ୍ଡ କରି ଦେଉଛି । ତେବେ ଏଥିରେ ତଳ ତଳିଆଙ୍କୁ ବଳି ନ ପକେଇ ଉପରିସ୍ଥ ଅଧିକାରୀଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ସମାଜସେବୀ ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ